ବରଗଡ, (୩୧/୧୦) : ଆପ୍ର : ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ବରଗଡ଼ ଜିଲ୍ଲାର ଚାଷୀଙ୍କ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।
ବିଶେଷ କରି ବରଗଡ଼ ବ୍ଲକ ଅନ୍ତର୍ଗତ ଚକ୍ରକେନ୍ଦ ପଞ୍ଚାୟତରେ ମକା ଚାଷୀମାନେ ଏହି ବାତ୍ୟା ଯୋଗୁଁ ବହୁଳ ଭାବେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହାସହ ବୁଧିଆପାଲି ଅଞ୍ଚଳରେ ମଧ୍ୟ ପ୍ରବଳ ପବନ ଓ ବର୍ଷା ଯୋଗୁଁ ମକା ଫସଲ ଭାଙ୍ଗି ଜମିରେ ପଡ଼ିଯାଇଥିବା ଜଣାପଡ଼ିଛି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଚକ୍ରକେନ୍ଦ ଗ୍ରାମର ପ୍ରାୟ ୫୦ରୁ ୬୦ଟି ପରିବାର ୬୦ରୁ ୭୦ ଏକର ଜମିରେ ମକା ଚାଷ କରିଥିଲେ । ହେଲେ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ମକା ଗଛଗୁଡ଼ିକ ଭାଙ୍ଗି ଜମିରେ ଶୋଇପଡ଼ିଛି । ଫଳରେ ଫସଲ ନଷ୍ଟ ହେବା ସହ ଚାଷୀମାନେ ଚଳିତ ବର୍ଷ ଅମଳ ଆଶା ହରାଇଛନ୍ତି ।
ଚାଷୀଙ୍କ କହିବା ଅନୁଯାୟୀ, ଏକର ପ୍ରତି ମକା ଚାଷରେ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଫସଲ ଭଲ ହେଲେ ଏକର ପ୍ରତି ପ୍ରାୟ ଏକ ଲକ୍ଷ ଟଙ୍କାର ମକା ବିକ୍ରି ହୋଇଥାଏ । ଫଳରେ ୬୦ରୁ ୭୦ ହଜାର ଟଙ୍କା ଲାଭ ମିଳିବାର ଆଶା ରହିଥାଏ । କିନ୍ତୁ ଚଳିତ ବର୍ଷ ବାତ୍ୟା ସବୁ ଆଶାକୁ ଧୂଳିସାତ୍ କରିଦେଇଛି । ଏହି କ୍ଷୟକ୍ଷତିର ଭରଣା ଓ କ୍ଷତିପୂରଣ ଦାବି ନେଇ ଚକ୍ରକେନ୍ଦ ଅଞ୍ଚଳର ମକା ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ଚାଷୀମାନେ ନିଜର ଦୁର୍ଦ୍ଦଶା ଓ ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜଣାଇଥିଲେ ।
ଏହାର ଉତ୍ତରରେ ଜିଲ୍ଲାପାଳ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଚାଷୀମାନଙ୍କୁ ଆଶ୍ୱାସନା ଦେବା ସହ ସମ୍ପୃକ୍ତ ବିଭାଗକୁ ଘଟଣାର ତଦନ୍ତ ଓ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଅନ୍ୟପଟେ ଅନେକ ଚାଷୀ ଋଣ କରି ମକା ଚାଷ କରିଥିବାରୁ ଫସଲ ନଷ୍ଟ ହେବା ପରେ ସେମାନେ ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି । ତେଣୁ ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।

