ଭୁବନେଶ୍ୱର, (୦୪/୧୦) : ଆପ୍ର : ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦ ପୂରଣକୁ ନେଇ ବଡ଼ କସରତ ।
ଲୋକ ଭବନରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଯୋଗ ଦେଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ । ବିଶେଷ କରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ୧୪୦୦ରୁ ଅଧିକ ପଦରେ ନିଯୁକ୍ତି କିଭଳି ଶୀଘ୍ର କରାଯିବ, ତାହା ବୈଠକର ପ୍ରମୁଖ ପ୍ରସଙ୍ଗ ରହିଥିଲା । ନଭେମ୍ବର ମାସରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ।
ତାଙ୍କ କହିବା ଅନୁସାରେ, ଖାଲି ପଦ ପୂରଣ ପ୍ରକ୍ରିୟାକୁ ଆଉ ବିଳମ୍ବ ନକରି ଆଗକୁ ନେବା ଉପରେ ଆଲୋଚନା ହୋଇଛି । ନଭେମ୍ବରରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଏହାକୁ ଶୀଘ୍ର ସାରିବା ଦିଗରେ ପଦକ୍ଷେପ ନିଆଯିବ । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବୈଠକ ପରେ ଏନେଇ ସ୍ପଷ୍ଟ ଚିତ୍ର ଦେଇଛନ୍ତି ରେଭେନ୍ସା କୁଳପତି । ଆଜିର ଉଚ୍ଚସ୍ତରୀୟ ବୈଠକରେ ଛାତ୍ର ସଂସଦ କିମ୍ବା କଲେଜ ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତି । ଏପରିକି ଏହି ପ୍ରସଙ୍ଗରେ କୁଳପତିମାନଙ୍କୁ କୌଣସି ମତାମତ ମଧ୍ୟ ପଚରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି । ତେଣୁ ଲୋକ ଭବନର ଏହି ବୈଠକରେ ମୁଖ୍ୟ ଫୋକସ୍ ରହିଥିଲା ବିଶ୍ୱବିଦ୍ୟାଳୟର ଖାଲି ପଦ ଓ ନିଯୁକ୍ତି ପ୍ରକ୍ରିୟା । ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୧୪୦୦ରୁ ଅଧିକ ଖାଲି ପଦ କେତେ ଶୀଘ୍ର ପୂରଣ ହେଉଛି, ତାହା ଉପରେ ଏବେ ନଜର ରହିବ ।

