ଭୁବନେଶ୍ୱର, (୨୬/୦୮) : ଆପ୍ର : ପ୍ରତିବର୍ଷ ପରି ଚଳିତବର୍ଷ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।
ଚଳିତବର୍ଷ କିସ୍ ଏହାର ୯ମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳନ କରିଛି । କେବଳ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସମର୍ପିତ ବିଶ୍ୱର ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ ଭାବେ ପରିଚିତ କିସ୍ ଏକ ସଂପୂର୍ଣ୍ଣ ଶିକ୍ଷାନୁଷ୍ଠାନ । ଏହା ଏକ ବିଦ୍ୟାଳୟ, ଏକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଭାବେ ବିଶେଷ ଆଦର ଲାଭ କରିଆସୁଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ପ୍ରୟାସ ଓ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଯୋଗୁଁ ୨୦୧୭ ମସିହାରେ କିସ୍ ଆନୁଷ୍ଠାନିକ ଭାବେ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା । ବର୍ଷ ବର୍ଷ ଧରି ହଜାର ହଜାର ଜନଜାତି ଛାତ୍ରଛାତ୍ରୀ କିସ୍ ରୁ ଶିକ୍ଷା ସମାପ୍ତ କରି ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି ।
ବର୍ତ୍ତମାନ ମଧ୍ୟ ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ନିଜର ସ୍ୱତନ୍ତ୍ର ସମାବେଶୀ ଓ ସାମଗ୍ରିକ ଶିକ୍ଷା ମଡେଲ ମାଧ୍ୟମରେ କିସ୍ ଶିକ୍ଷା, ଦକ୍ଷତା ବିକାଶ ଏବଂ ସାମାଜିକ ଓ ଆର୍ଥିକ ପରିବର୍ତ୍ତନର ସୁଯୋଗ ସୃଷ୍ଟି କରି ଜନଜାତି ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି ବୋଲି ଡ. ସାମନ୍ତ ପ୍ରକାଶ କରିଥିଲେ ।
ଏହା ସହ ସେ ଜନଜାତି ସଂସ୍କୃତି, କଳା, ହସ୍ତଶିଳ୍ପ, ସଙ୍ଗୀତ ଓ ନୃତ୍ୟର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଆଧୁନିକ ଶିକ୍ଷା ମାଧ୍ୟମରେ ଆଗକୁ ବଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । କିସ୍ ର ଉନ୍ନତି ଓ ସଫଳତାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ଡ. ପ୍ରଶାନ୍ତ ରାଉତରାୟ, କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍ ଆର୍ଟ ଏକାଡେମିର ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ ଓ ସର୍ଜନାତ୍ମକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

