ସୁବର୍ଣ୍ଣପୁର, (୨୯/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ହେଲ୍ପଲାଇନ, ଶିଶୁକଲ୍ୟାଣ କମିଟି, ଶ୍ରମ ବିଭାଗ,ଏନଜିଓ ଓ ପୁଲିସ ପକ୍ଷରୁ ବିନିକା ବ୍ଳକ ସିଂଘିଯୁବା ଏବଂ ବିନିକା ସହରରେ ଅବସ୍ଥାପିତ ହୋଟେଲ, ଗେରେଜ, ଢ଼ାବାରେ ଚଢ଼ାଉକରି ୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ।
ଉଦ୍ଧାର କରି ଜିଲ୍ଲା ଶିଶୁ କଲ୍ୟାଣ ସମିତି ରେ ଉପସ୍ଥାପନା କଲା ପରେ ଶିଶୁମାନଙ୍କୁ ଉତ୍କଳ ବାଳାଶ୍ରମରେ ରଖିବା ପାଇଁ ଅଧକ୍ଷ ଲୀନା ବାବୁ ଏବଂ ବ୍ରଜେନ୍ଦ୍ର ବିଶି ସଦସ୍ୟ ଶିଶୁ କଲ୍ୟାଣ ସମିତି ଅର୍ଡର କରିଛନ୍ତି । ଏମିତି ଶିଶୁ ମାନଙ୍କୁ କେହି ବି କୌଣସି କାମରେ ଲଗାଇଥିଲେ ୧୦୯୮ ଟୋଲ ଫ୍ରି ନମ୍ବର କୁ ଫୋନ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ସୂଚନା ଦେଇଛନ୍ତି । ଚଢ଼ାଉରେ ଶିଶୁ କଲ୍ୟାଣ କମିଟି ସଦସ୍ୟ କେଶବ ମେହେର, ବିନିକା ଅତିରିକ୍ତ ଶ୍ରମ ଅଧିକାରୀ ଚିନ୍ମୟ ମେହେର, ଡ଼ିସିପି ଗୈାତମ ମହାପାତ୍ର ବିନିକା ପୁଲିସ କର୍ମଚାରୀ ଓ ଏନଜିଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଦିର୍ଘ ମାସପରେ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଛି । ସୂଚନା ଯୋଗ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଅଧିକାଂଶ ଜନମଙ୍ଗଳ ଯୋଜନା ପରି ସବୁଠାରୁ ଅଧିକ ସମ୍ବେଦନଶୀଳ ଶିଶୁ ଶ୍ରମିକ ଯୋଜନାଟି ବିନିକା ଅଞ୍ଚଳରେ କେବଳ ଲୋକ ଦେଖାଣିଆ ଭାବେ କାଗଜପତ୍ରରେ ସୀମିତ ହୋଇ ରହିଯାଇଥିବା ଅଭିଯୋଗ ହେୁଛି । ୨୦୦୨ ମସିହାରୁ ସମଗ୍ର ବିଶ୍ବରେ ଜୁନ ମାସ ୧୨ ତାରିଖ ଦିନଟିକୁ ଶିଶୁ ଶ୍ରମିକ ବିରୋଧି ବିଶ୍ଵ ଦିବସ ରୂପେ ପାଳିତ ହୋଇଆସିଥାଏ । ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶ୍ରମ ସଂଗଠନର ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୁଏ । ଅଞ୍ଚଳ ଶିଶୁ ମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ ନକରି ସେମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା, ସମୃଦ୍ଧି ଦିଗରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ ।
ଆମ ରାଜ୍ୟ ସରକାର ମଧ୍ୟ ଶିଶୁ ଶ୍ରମିକ ସୁରକ୍ଷା ଦିଗରେ ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି । ପ୍ରତ୍ୟେକ ପଞ୍ଚାୟତ, ବ୍ଲକ, ଏପରିକି ଜିଲ୍ଲା ସ୍ତରରେ କମିଟି ଗଠନ କରିବାର ନିର୍ଦେଶନାମା ଜାରି କରି ପ୍ରତି ୩ ମାସରେ ବୈଠକ କରାଯିବାର ବ୍ୟବସ୍ଥା ରହିଛି । ଏହି ସବୁ ସରକାରୀ ଘୋଷଣା କେବଳ କାଗଜ କଲମରେ ସିମିତ ରହିଥିବା ହେତୁ ଏବେ ବିନିକା ଅଞ୍ଚଳରେ ବିଭିନ୍ନ ରାସ୍ତା ପାର୍ଶ୍ଵ ଢାବା, ଦୋକାନ, ମାଛ ମାର୍କେଟ, ଦୈନିକ ବଜାର, ହୋଟେଲ, ଏପରିକି କୁଚିଆ ମଦ ଦୋକାନରେ ଶିଶୁ ଶ୍ରମିକ ମଦ ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ଆଇନର ରକ୍ଷକ ମାନେ ଏହି ଶିଶୁ ଶ୍ରମିକ ମାନଙ୍କ ଠାରୁ ହୋଟେଲ ଖାଦ୍ୟ ଓ ଦୋକାନରୁ ସାମଗ୍ରୀ ଗ୍ରହଣ କରୁଥିବା ବେଳେ ଏହି ବେଆଇନ କାର୍ଯ୍ୟକାରୀ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବାସ୍ତବିକ ପରିତାପର ବିଷୟ ।
ଏହି ଜିଲ୍ଲା ର ବିନିକା ବ୍ଲକରେ ୧୬ଟି ପଞ୍ଚାୟତ ଏବଂ ଗୋଟିଏ ଏନଏସି ରହିଛି । ବିନିକା ବ୍ଳକ କିମ୍ବା ବିନିକା ଏନଏସିରେ ଶିଶୁ ଶ୍ରମିକ ବିରୋଧୀ ବିଶ୍ବ ଦିବସ ପାଳନ ହୁଏ ନାହିଁ । ଦାରିଦ୍ର ତଥା ସଚେତନତାର ଅଭାବ ଯୋଗୁ ବିନିକା ବିଭିନ୍ନ ଅଞ୍ଚଳରେ ଶିଶୁ ଶ୍ରମିକ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହା ବିରୋଧରେ ଦୃଢ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

