Homelocalବାଲିଯାତ୍ରା ପ୍ଲଟ୍ ନିଲାମ ପ୍ରକ୍ରିୟା, ବର୍ଗଫୁଟ ପିଛା ୧୩୦୦ ଟଙ୍କା ଛୁଇଁଲା ଦର

ବାଲିଯାତ୍ରା ପ୍ଲଟ୍ ନିଲାମ ପ୍ରକ୍ରିୟା, ବର୍ଗଫୁଟ ପିଛା ୧୩୦୦ ଟଙ୍କା ଛୁଇଁଲା ଦର

କଟକ, (୦୪/୧୧) : ଆପ୍ର : ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଏବେଠାରୁ ଜମିଲାଣି ଉତ୍ସାହ । ପ୍ଲଟ୍ ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଛି ପ୍ଲଟ୍ ନିଲାମି ।

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ନିଲାମି ପ୍ରକ୍ରିୟା ଚାଲିବ । ବିଭିନ୍ନ ପ୍ଲଟ୍ ପାଇଁ ଏକାଧିକ ଆବେଦନ ହୋଇଥିବାରୁ ନିଲାମି ପ୍ରକ୍ରିୟାରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଆଜି ସୁଦ୍ଧା ୫୩୬ ଟି ପ୍ଲଟର ନିଲାମି ଶେଷ ହୋଇଥିବାବେଳେ ସର୍ବାଧିକ ବର୍ଗଫୁଟ ପିଛା ୧୩୦୦ ଟଙ୍କାରେ ପ୍ଲଟ୍ ନିଲାମ ହୋଇଥିବା ଜଣାପଡ଼ିଛି । ନିଲାମି ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୭ଟି ଟିମ୍ ଗଠନ କରାଯାଇଛି । ବିଭିନ୍ନ ବ୍ଲକ୍ ପାଇଁ ଅଲଗା ଅଲଗା ସ୍ଥାନରେ ନିଲାମି ବ୍ୟବସ୍ଥା କରାଯାଇଛି । ଜଣେ ଆବେଦନକାରୀ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଅନଲାଇନ୍‌ରେ ଆବେଦନ କରିବାର ବ୍ୟବସ୍ଥା ରହିଥିଲା ।

ପ୍ରତିଦିନ ସକାଳ ୧୦ଟାରୁ ନିଲାମି ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁଛି । ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରଖାଯାଇଛି। ଅନ୍ୟପକ୍ଷରେ, ନିଲାମିରେ ଭାଗ ନେବା ପାଇଁ ପଞ୍ଜିକରଣ କରିଥିବା ଆବେଦନକାରୀ ଯଦି ନିଲାମିରେ ଅଂଶଗ୍ରହଣ ନକରନ୍ତି, ତେବେ ସେମାନେ ଦାଖଲ କରିଥିବା ଫି’ ଫେରସ୍ତ ପାଇବେ ନାହିଁ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ ପ୍ଲଟ୍ ପଞ୍ଜିକରଣ ପାଇଁ ବେସ୍ ପ୍ରାଇସ୍ ବର୍ଗଫୁଟ ପିଛା ୬୦ରୁ ୬୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନିଲାମିରେ ପ୍ରତିଯୋଗିତା ବଢ଼ିବା ସହ ଦର ୧୩୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଚଳିତ ବର୍ଷ ବାଲିଯାତ୍ରା ପ୍ଲଟ୍ ନିଲାମି ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments