ନବରଙ୍ଗପୁର, (୦୪/୧୧) : ଆପ୍ର : ଗିରଫଦାରୀକୁ ନେଇ ରାତିସାରା ଧାରଣା । ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘର ଉପଦେଷ୍ଟା ତଥା ସିପିଆଇଏମ୍ ନେତା ରାଜେଶ ଯାନୀଙ୍କୁ ଖଲାସ କରିବା ଦାବିରେ ରାତିସାରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବସି ରହିଲେ ହଜାର ହଜାର ମହିଳା ।
ରାଜେଶ ଯାନୀଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବା ଦାବିରେ ହାତରେ ଲାଠି ଓ ଠେଙ୍ଗା ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି ନାରୀ ମହାସଂଘର ସଦସ୍ୟା । ଜିଲ୍ଲାରେ ଦୀର୍ଘଦିନ ଧରି ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ଆସୁଥିଲେ ରାଜେଶ ଯାନୀ । ତାଙ୍କ ବିରୋଧରେ ଶାନ୍ତିଭଙ୍ଗ ଆଶଙ୍କା ଦର୍ଶାଇ BNSS ଧାରା ୧୨୯ ଅନୁଯାୟୀ ନୋଟିସ୍ ଜାରି କରିଥିଲେ ଉପଜିଲ୍ଲାପାଳ । ଏକାଧିକ ଥର ନୋଟିସ୍ ଜାରି ସତ୍ତ୍ୱେ ଜବାବ ନମିଳିବାରୁ ଗତ ୨୭ ତାରିଖରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା । ଏହାପରେ ତେନ୍ତୁଳିଖୁଣ୍ଟି ପୋଲିସ ରାଜେଶ ଯାନୀଙ୍କୁ ଧରି ଉପଜିଲ୍ଲାପାଳଙ୍କ ନିକଟରେ ହାଜର କରିଥିଲା । ଶାନ୍ତି ବଜାୟ ରଖିବା ସମ୍ପର୍କିତ ବଣ୍ଡରେ ସ୍ୱାକ୍ଷର କରିବାକୁ ସେ ମନା କରିବାରୁ ତାଙ୍କୁ ଜେଲ ପଠାଯାଇଥିବା ଜଣାପଡ଼ିଛି । ଏହି ଗିରଫଦାରୀକୁ ନେଇ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି । ରାଜେଶ ଯାନୀଙ୍କୁ ମୁକ୍ତ କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ନାରୀ ମହାସଂଘର ସଦସ୍ୟା ।

