Homelocalବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗଞ୍ଜାମ, (୨୩/୧୧) : ଆପ୍ର : ଗଞ୍ଜାମରେ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ରିଲିଫ୍, କ୍ଷତିପୂରଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ।

ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି, କ୍ଷୟକ୍ଷତି ଆକଳନ, ରିଲିଫ୍ ବଣ୍ଟନ, କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗଞ୍ଜାମ ଗସ୍ତ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଛି । ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମରେ ଭୟଙ୍କର ବନ୍ୟା । ଗତ ଅକ୍ଟୋବର ଶେଷ ସପ୍ତାହରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଲଗାଣ ବର୍ଷା ଫଳରେ ଋଷିକୁଲ୍ୟା ଓ ବଡ଼ନଦୀର ଜଳସ୍ତର ବୃଦ୍ଧି ପାଇ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବିଶେଷକରି ଆସିକା, ସୋରଡ଼ା, ଭଞ୍ଜନଗର ସମେତ ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଥିଲା। ଅନେକ ଗାଁ ଓ ଜନବସତିରେ ବନ୍ୟାଜଳ ପ୍ରବେଶ କରିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଘରଦ୍ୱାର, ରାସ୍ତାଘାଟ, ନଦୀବନ୍ଧ ଓ ଜଳସେଚନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଚାଷୀ ।

ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ଅନେକ ସ୍ଥାନରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିଲା । ଦୀର୍ଘ ସମୟ ଧରି ଜମିରେ ପାଣି ଜମି ରହିବାରୁ ଚାଷୀଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା । ଆଜିର ସମୀକ୍ଷା ବୈଠକରେ ବନ୍ୟା ପ୍ରଭାବିତ ଚାଷୀଙ୍କ କ୍ଷୟକ୍ଷତି ଆକଳନ ଏବଂ ସହାୟତା ପ୍ରଦାନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏହା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ୍ ଓ ପୁନର୍ବାସ ସହାୟତା, ଭାଙ୍ଗିଯାଇଥିବା ରାସ୍ତାଘାଟର ମରାମତି, ନଦୀବନ୍ଧ ସୁଦୃଢ଼ୀକରଣ ଏବଂ କ୍ଷତିଗ୍ରସ୍ତ ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ନେଇ ଆଲୋଚନା ହୋଇଛି । ବନ୍ୟା ପରେ ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପଦକ୍ଷେପ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଛି ।

ବାତ୍ୟା ଓ ବନ୍ୟାର ଦୀର୍ଘସ୍ଥାୟୀ ପ୍ରଭାବରୁ ଗଞ୍ଜାମ ଜିଲ୍ଲା ଏବେ ବି ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ । ଅନେକ ଚାଷୀ ଓ କ୍ଷତିଗ୍ରସ୍ତ ପରିବାର ସରକାରୀ ସହାୟତା ଓ କ୍ଷତିପୂରଣକୁ ଅପେକ୍ଷା କରିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଓ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି । ଏବେ କ୍ଷୟକ୍ଷତିର ସଠିକ୍ ଆକଳନ, ପ୍ରଭାବିତ ଲୋକଙ୍କୁ ସମୟୋଚିତ ସହାୟତା ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଉପରେ ଗଞ୍ଜାମବାସୀଙ୍କ ନଜର ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments