ସୁବର୍ଣ୍ଣପୁର, (୨୨/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ସହରର ଘୋଡ଼ାଘାଟପଡ଼ା ନିବାସୀ ଅକ୍ଷୟ ମଲ୍ଲିକଙ୍କ ସୁପୁତ୍ର ଅର୍ମାନ ମଲ୍ଲିକ ଚଳିତ ବର୍ଷର ସମ୍ମାନଜନକ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି (Vijay Merchant Trophy) ପାଇଁ ଓଡ଼ିଶା ୧୬ ବର୍ଷରୁ କମ୍ (Under-16) ରାଜ୍ୟ କ୍ରିକେଟ ଦଳରେ ମନୋନୀତ ହୋଇଛନ୍ତି ।
ଅର୍ମାନଙ୍କର ଏହି ଐତିହାସିକ ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ନିଷ୍ଠା, କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ବଳରେ ଜଣେ ମଫସଲ ସହରର ଖେଳାଳି ଯେ ରାଜ୍ୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି, ଅର୍ମାନ୍ ଆଜି ତାହା ପ୍ରମାଣିତ କରି ଦେଖାଇଛନ୍ତି । ତାଙ୍କର ଏହି ଚୟନ ଜିଲ୍ଲାର ଶହ ଶହ ଉଦୀୟମାନ କ୍ରିକେଟରଙ୍କ ମନରେ ନୂଆ ଆଶା ଓ ପ୍ରେରଣା ଜାଗ୍ରତ କରିଛି ।
ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସୋନପୁର କ୍ରିକେଟ ଆସୋସିଏସନର ସଭାପତି ରାମ ଶଙ୍କର ସାହୁ ଏବଂ ସମ୍ପାଦକ ପ୍ରଦୀପ ସେଠୀଙ୍କ ସମେତ ଜିଲ୍ଲାର ବରିଷ୍ଠ କ୍ରୀଡ଼ାବିତ୍, କ୍ରିକେଟ ପ୍ରେମୀ ଓ ଶୁଭେଚ୍ଛୁ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଆଗାମୀ ଟୁର୍ଣ୍ଣାମେଣ୍ଟରେ ଅର୍ମାନ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଶା ତଥା ସୁବର୍ଣ୍ଣପୁରର ନାଁକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରନ୍ତୁ ।

