ଭବାନୀପାଟଣା, (୩୧/୧୦) : ଆପ୍ର : କଲରାପତରିଆ ବାଘ ଛାଲ ଜବତ ଘଟଣାରେ ବନ ବିଭାଗ ଆଜି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେମାନଙ୍କ ନିକଟରୁ ବାଘ ତଥା ଅନ୍ୟାନ୍ୟ ଜନ୍ତୁ ର ଅଙ୍ଗ ପ୍ରତ୍ୟଙ୍ଗ, ବନ୍ଧୁକ, ଧନୁତୀର ଆଦି ଜବତ ହୋଇଥିବା ବନ ବିଭାଗ ସୂଚନା ଦେଇଛି । ସୂଚନାଯୋଗ୍ୟ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ର କର୍ଲାପାଟ ଥାନା ଅନ୍ତର୍ଗତ ପାନଭଟା ଗାଁ ନିକଟରୁ ଗତ ୨୫ ତାରିଖ ଦିନ ୨ ଟି କଲରାପତରିଆ ବାଘ ଛାଲ ଏସଟିଏଫ ଏବଂ ବନ ବିଭାଗ ଦ୍ଵାରା ଜବତ ହୋଇଥିଲା । ଏହି ଘଟଣାରେ ଜଣଙ୍କୁ ବନ ବିଭାଗ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା କୁହାଯାଇଥିଲା । ପରେ ଅଟକ ବ୍ୟକ୍ତିର ସୂଚନା ଅନୁଯାୟୀ ବନ କର୍ମଚାରୀ ମାନେ କିଛିଦିନ ମଧ୍ୟରେ ଆଉ ୬ ଜଣଙ୍କୁ ଠାବ କରିଥିଲେ ।
ଏମାନଙ୍କ ନିକଟରୁ ବାଘ ନଖ, ଦାନ୍ତ, ମେରୁଦଣ୍ଡର ହାଡ଼ ଓ ଚମଡ଼ାର ଖଣ୍ଡ ମଧ୍ୟ ଜବତ ହୋଇଥିବା ବନ କର୍ମଚାରୀ ମାନେ ସୂଚନା ଦେଇଥିଲେ । ଏଥି ସହିତ ଗିରଫ ବ୍ୟକ୍ତି ଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ପ୍ରାୟ ୭ ଗ୍ରାମ ବନ୍ଧୁକ ବାରୁଦ, ୨୦୬ଟି ଗୁଳି, ଗୁଳି ସଫା କରିବା ରଡ୍, ଗୋଟିଏ ଧନୁ ଓ ଦୁଇଟି ତୀର ମଧ୍ୟ ବନ ବିଭାଗ ଜବତ କରିଥିବା ସୂଚନା ଦିଆଯାଇଥିଲା। ଏହାବ୍ୟତୀତ ଗୋଟିଏ ଜୀବିତ ବାରହା, ଏକ ବନ୍ୟ ଜନ୍ତୁ ମୁଣ୍ଡ ଏବଂ ନଖ ମଧ୍ୟ ଜବତ କରାଯାଇଥିବା ଆଜି ବନ କର୍ମଚାରୀ ମାନେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।
ବାଘ ଛାଲ ସମେତ ଅନ୍ୟ ଜନ୍ତୁ ଅଙ୍ଗ ପ୍ରତ୍ୟଙ୍ଗ ଜବତ କରି ବନ କର୍ମଚାରୀ ଶ୍ରେୟ ନେବାର ଔଚିତ୍ୟ ରହିଛି। ତେବେ ପ୍ରକୃତରେ ମୃତ ବାଘର ୨ ଟି ର ବୟସ କେତେ, ମାଇ ନା ଅଣ୍ଡିରା, କେବେ, କେଉଁଠି ଶିକାର ହେଲା, କିଏ ଶିକାର କଲା, ଗିରଫ ବ୍ୟକ୍ତିମାନେ ଶିକାରୀ ନା ମଧ୍ୟସ୍ଥି ଏଭଳି ଅନେକ ପ୍ରଶ୍ନର ଉତ୍ତର ବନ କର୍ମଚାରି ମାନେ ଦେଇପାରି ନଥିଲେ। ଡିଏଫଓ ସମ୍ପୂର୍ଣ ସୂଚନା ଦେବେ ବୋଲି କୁହାଯିବା ରୁ ଗଣମାଧ୍ୟମ ପ୍ରତିନିଧିମାନେ ଦୀର୍ଘ ସମୟ ଧରି ଅପେକ୍ଷା କଲେ। ଅଥଚ ଡିଏଫଓ ଆସିଲେ ନାହିଁ କିମ୍ବା ଅପରାହ୍ନରେ ଯୋଗାଯୋଗ ସତ୍ତ୍ୱେ ଫୋନ୍ ଗ୍ରହଣ କଲେ ନାହିଁ। ତଳିଆ କର୍ମଚାରୀ ମାନେ ଟାଇପ ହୋଇଥିବା କାଗଜ ଖଣ୍ଡେ ଧରାଇଦେଇ ଦାୟିତ୍ୱ ସାରିଦେଲ, ସମ୍ପୂର୍ଣ୍ଣ ତଥ୍ୟ ମିଳିଲା ନାହିଁ ।

