ସୁବର୍ଣ୍ଣପୁର, (୧୪/୧୧):ଆପ୍ର: ଗ୍ରାମାଞ୍ଚଳର ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି ।
ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କାର ଗୃହ ନିର୍ମାଣ ସହାୟତା ପ୍ରଦାନ କରାଯାଉଛି । ଆଜି ବଲାଙ୍ଗୀର ଜିଲ୍ଲାର ପଥରଚେପା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇଥିଲେ । ଏହାର ସିଧାପ୍ରସାରଣ ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଟାଉନ ହଲ୍ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏଥିରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଳା ଓ ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅନିରୁଦ୍ଧ ପଧାନ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେରଙ୍କ ସମେତ ନଳିନୀ ପଣ୍ଡା ଏବଂ ଅନ୍ୟ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଗରିବ ଓ ଅବହେଳିତ ପରିବାରଙ୍କୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । କୌଣସି ଯୋଗ୍ୟ ପରିବାର ଯେପରି ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ । ସିଡିଓ ଶ୍ରୀ ମେହେର ଜିଲ୍ଲାରେ ଯୋଜନାର ଅଗ୍ରଗତି ସମୀକ୍ଷା ସହ ପୂର୍ବରୁ ନିର୍ମିତ ଗୃହଗୁଡ଼ିକର ସ୍ଥିତି ଏବଂ ନୂତନ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଉପରେ ଆଲୋକପାତ କରିଥିଲେ । ସଠିକ୍ ସର୍ବେକ୍ଷଣ ଓ ପ୍ରଶାସନିକ ସମନ୍ୱୟ ମାଧ୍ୟମରେ ଯୋଗ୍ୟ ପରିବାରଙ୍କୁ ଯୋଜନାରେ ସାମିଲ କରିବା ସହ ଏହାର ସ୍ୱଚ୍ଛ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ସେ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମ ପରେ ଜିଲ୍ଲାର ପ୍ରାୟ ୩୦୦ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ୪ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଥିଲା ।

