ରାୟଗଡ଼ା, (୦୭/୧୦) : ଆପ୍ର : ବିଳମ୍ବିତ ରାତିରେ ରାୟଗଡ଼ା ଗୁମା ଘାଟି ନିକଟରେ ଦୁଇଟି ମାଲ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ।
ଯାହା ଫଳରେ ଏହି ରୁଟ୍ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ଗୁମା ଘାଟିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ମାଲ୍ ବୋଝେଇ ଟ୍ରକ୍ ପୁଲକଣା ନିକଟ ଶେଷ ବୁଲାଣିରେ ଓଲଟି ପଡ଼ିଥିବା ବେଳେ ଅନ୍ୟ ଟ୍ରକ୍ଟି ଗୁମା ଘାଟିର ୩ ନମ୍ବର ବୁଲାଣି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ରାସ୍ତା ମଝିରେ ଦୁଇଟି ଯାକ ଟ୍ରକ୍ ଓଲଟି ରହିବା କାରଣରୁ କୋରାପୁଟ-ରାୟଗଡ଼ା ଏବଂ କାଶୀପୁର-ରାୟଗଡ଼ା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଘଟଣା ରାତି ତମାମ ୩୨୬ ନମ୍ବର ଜାତୀୟ ରାଜପଥରେ ଫସି ରହି ଯାତ୍ରୀମାନେ ଅସହ୍ୟ କଷ୍ଟ ଭୋଗିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କରିଥିଲେ। ଏହି ଘାଟିରେ ବାରମ୍ବାର ଏହି ଭଳି ଦୁର୍ଘଟଣା ଘଟିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରି ପାରୁନି ପ୍ରଶାସନ ।

