ଭୁବନେଶ୍ୱର, (୨୪/୧୧) : ଆପ୍ର : ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ! ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ।
ନଭେମ୍ବର ୩୦ରୁ ଆରମ୍ଭ ହେଉଥିବା ସପ୍ତାହର ଶେଷଭାଗରେ ବାତ୍ୟା ସୃଷ୍ଟି ହୋଇପାରେ । ନଭେମ୍ବର ଶେଷ କିମ୍ୱା ଡିସେମ୍ବର ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ଜେସନ୍ ନିକୋଲ୍ସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୂର୍ବାନୁମାନ କରିଥିବା ସୂଚନା ମିଳିଛି । ନିକୋଲ୍ସଙ୍କ ଆକଳନ ଅନୁସାରେ, ନଭେମ୍ବର ୩୦ରୁ ଆରମ୍ଭ ହେଉଥିବା ସପ୍ତାହର ଶେଷଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ତୀବ୍ରତା, ଗତିପଥ ଓ ସ୍ଥଳଭାଗରେ ପ୍ରଭାବ ସମ୍ପର୍କରେ ଏବେଠାରୁ କୌଣସି ନିଶ୍ଚିତ ଆକଳନ କରାଯାଇପାରିବ ନାହିଁ । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ବା IMD ମଧ୍ୟ ବଙ୍ଗୋପସାଗରରେ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେବାର ସଙ୍କେତ ଦେଇଛି ।
ନଭେମ୍ବର ୧୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଦୀର୍ଘମିଆଦୀ ପୂର୍ବାନୁମାନରେ ନଭେମ୍ବର ଶେଷ ଆଡ଼କୁ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଦର୍ଶାଯାଇଛି । ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଅର୍ଥ ବାତ୍ୟା ହେବା ନୁହେଁ । ଏହା ପ୍ରଥମେ ଲଘୁଚାପରେ ପରିଣତ ହେବ କି ନାହିଁ ଏବଂ ପରେ ବାତ୍ୟାର ରୂପ ନେବ କି ନାହିଁ, ତାହା ପାଣିପାଗର ଅନୁକୂଳ ପରିସ୍ଥିତି ଉପରେ ନିର୍ଭର କରିବ । କିନ୍ତୁ ନୂଆ ପାଣିପାଗ ବ୍ୟବସ୍ଥା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ, ରାଜ୍ୟରେ ବର୍ଷା ହେବ କି ନାହିଁ ଏବଂ କେତେ ପରିମାଣର ବର୍ଷା ହୋଇପାରେ, ତାହା ଏବେ ଅନିଶ୍ଚିତ । ଆଗାମୀ କିଛି ଦିନରେ ପାଣିପାଗ ମଡେଲ୍ ଓ IMDର ପରବର୍ତ୍ତୀ ବୁଲେଟିନ୍ ରୁ ଏହି ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ।

