ଝାରସୁଗୁଡ଼ା, (୧୫/୦୬) : ଆପ୍ର : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ଣରେ ଗାଧୋଇ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତକ ଦ୍ବୟ ଚୌକିପଡ଼ାର ପଙ୍କଜ କୁମାର ସାହୁ(୨୦) ଏବଂ ଗିରିଜା ଶଙ୍କର ସାହୁ (୧୬)। ରବିବାର ଅପରାହ୍ଣ ପ୍ରାୟ ୩ଟାରେ ପଙ୍କଜ ଏବଂ ଗିରିଜା ନଦୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତାବଶତଃ ସେମାନେ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ । ବୁଡ଼ି ଯାଉଥିବା ଦେଖି ଲୋକେ ସେମାନଙ୍କୁ ପାଣିରୁ ବାହାର କରି ଆମ୍ବୁଲାନ୍ସରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ଉତ୍ତେଜନା ଦେଖା ଯାଇଥିଲା । ବ୍ୟବଚ୍ଛେଦ ପରେ ପୁଲିସ ଦୁଇ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ।

