ଖୁଣ୍ଟା, (୦୯/୦୮) : ଆପ୍ର : ସଡ଼କ ଦୁର୍ଘଟଣା ଏଡ଼ାଇବାକୁ ଅଭିନବ ପଦକ୍ଷେପ ନେଇଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପୁଲିସ ।
ଜାତୀୟ ରାଜପଥ-୧୯ରେ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଥିବା ବଡ଼ ବଡ଼ ଖାଲକୁ ପୁଲିସ ନିଜ ଉଦ୍ୟମରେ ପୋତିଛି । ନାହ୍ଲୁଆ ଓ ପଥରା ମଧ୍ୟରେ ଜାତୀୟ ରାଜପଥ-୧୯ର ବିଭିନ୍ନ ସ୍ଥାନରେ ଏକାଧିକ ଖାଲ ସୃଷ୍ଟି ହୋଇଥିଲା । ବର୍ଷା ପାଣି ଜମି ରହୁଥିବାରୁ ରାତି ସମୟରେ ଦୁଇଚକିଆ ଯାନ ଚାଳକମାନେ ଖାଲରେ ପଡ଼ି ଗାଡ଼ିର ନିୟନ୍ତ୍ରଣ ହରାଉଥିଲେ । ଫଳରେ ଦୁର୍ଘଟଣା ଘଟି ଆସୁଥିଲା।ଗତ ଦୁଇଦିନ ମଧ୍ୟରେ ଏହି ରାସ୍ତାରେ ଲଗାତାର ଏକାଧିକ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ବର୍ଷା ରାତିରେ ଏଭଳି ଦୁର୍ଘଟଣା ବଢ଼ିବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା।
ଏହି ରାଜପଥ ପୂର୍ତ୍ତ ବିଭାଗର ଉଦଳା ଉପଖଣ୍ଡ ଅଧୀନରେ ରହିଥିବାବେଳେ ଦୀର୍ଘଦିନ ଧରି ରାସ୍ତାର ମରାମତି ନହେବାକୁ ନେଇ ପ୍ରଶ୍ନ ଉଠିଛି । ରାସ୍ତାର ଦୁରବସ୍ଥା ସମ୍ପର୍କରେ ଅନେକଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଦୁର୍ଘଟଣା ନଘଟିବା ପାଇଁ ଖୁଣ୍ଟା ପୁଲିସ ନିଜସ୍ୱ ଉଦ୍ୟମରେ ରାସ୍ତାର ଖାଲଗୁଡ଼ିକୁ ପୋତିବାକୁ ଆଗେଇ ଆସିଛି ।
ଏଏସ୍ଆଇ ରତିକାନ୍ତ ଦାସଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ସିମେଣ୍ଟ, ବାଲି ଓ ବଜୁରୀର ମିଶ୍ରଣରେ ରାସ୍ତାର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଥିବା ଖାଲଗୁଡ଼ିକୁ ପୋତି ଯାତାୟାତକୁ ସାମୟିକ ଭାବେ ସୁଗମ କରିଛନ୍ତି । ବିଶେଷକରି ବାଇକ୍, ସାଇକେଲ ଓ ଅନ୍ୟ ଦୁଇଚକିଆ ଯାନ ଚାଳକଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ବିଭିନ୍ନ ମହଲରୁ ଖୁଣ୍ଟା ପୁଲିସର ଏହି ଉଦ୍ୟମକୁ ସ୍ୱାଗତ କରାଯାଇଥିବାବେଳେ ରାଜପଥର ସ୍ଥାୟୀ ମରାମତି ପାଇଁ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

