Homelocal‘ଆଧାର’ ପାଇଁ ଅଟକୁଛି ଅଧିକାର

‘ଆଧାର’ ପାଇଁ ଅଟକୁଛି ଅଧିକାର

ଯାଜପୁର, (୦୯/୦୮) : ଆପ୍ର : ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ହୋଇ ରହିନାହିଁ ; ବରଂ ସରକାରୀ ସେବା, ରାସନ, ପେନସନ୍, ସବସିଡି ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପାଇବା ପାଇଁ ଏହା ଏକ ଅନିବାର୍ଯ୍ୟ ମାଧ୍ୟମ ।

ମାତ୍ର ଆଧାରରେ ସାମାନ୍ୟ ଭୁଲ୍ ସଂଶୋଧନ କରିବାର ଜଟିଳ ପ୍ରକ୍ରିୟା ଏବଂ ନିୟମାବଳୀ ଯୋଗୁଁ ଗ୍ରାମାଞ୍ଚଳର ବହୁ ଗରିବ ଓ ନିରକ୍ଷର, ବିଶେଷ ଭାବେ ଜନଜାତି ବର୍ଗର ଲୋକେ ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ (୨୩ ସେପ୍ଟେମ୍ବର ୨୦୧୩, ୧୬ ମାର୍ଚ୍ଚ ୨୦୧୫ ଓ ୨୦୧୮) ଏବଂ ଆଧାର ଆକ୍ଟର ଧାରା ୭ ଅନୁଯାୟୀ, ଆଧାର କାର୍ଡ ନଥିଲେ କିମ୍ବା ଆଧାର ପ୍ରମାଣୀକରଣ ବିଫଳ ହେଲେ ମଧ୍ୟ ବିକଳ୍ପ ପରିଚୟ ପ୍ରମାଣପତ୍ର ମାଧ୍ୟମରେ ହିତାଧିକାରୀଙ୍କୁ ସରକାରୀ ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି ।

ହେଲେ କ୍ଷେତ୍ରସ୍ତରରେ ଏହି ନିୟମର କଡ଼ାକଡ଼ି ପାଳନ ହେଉନଥିବା ଅଭିଯୋଗ ହେଉଛି । ଫଳରେ ନାମ, ଜନ୍ମତାରିଖ କିମ୍ବା ଠିକଣା ଭୁଲ ଥିବା ଯୋଗ୍ୟ ହିତାଧିକାରୀମାନେ ସରକାରୀ ଆବାସ ଓ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ସଂଶୋଧନ ପ୍ରକ୍ରିୟା କ୍ରମଶଃ ଅଧିକ ଜଟିଳ ଓ ଖର୍ଚ୍ଚାନ୍ତ ହେବାରେ ଲାଗିଛି। ‘ମାଇଁ ଆଧାର’ ପୋର୍ଟାଲ୍‌ରେ ଅନଲାଇନ୍ ଡକ୍ୟୁମେଣ୍ଟ ଅପଡେଟ୍ ୧୪ ଜୁନ୍ ୨୦୨୭ ପର୍ଯ୍ୟନ୍ତ ମାଗଣା ଥିଲେ ହେଁ, ଆଧାର କେନ୍ଦ୍ରଗୁଡ଼ିକରେ ନିର୍ଦ୍ଧାରିତ ୭୫ ଟଙ୍କା ଶୁଳ୍କ ବଦଳରେ ବେଆଇନ୍ ଭାବେ ଅଧିକ ଅର୍ଥ ଆଦାୟ କରାଯାଉଥିବା କୁହାଯାଉଛି । ଏହାଛଡ଼ା ନାମ ଓ ବୟସ ସଂଶୋଧନର ସୀମା ଅତିକ୍ରମ କଲେ ମାଜିଷ୍ଟ୍ରେଟ୍ ସତ୍ୟପାଠ, ଗେଜେଟ୍ ବିଜ୍ଞପ୍ତି, ଖବରକାଗଜ ବିଜ୍ଞାପନ ଏବଂ ଭୁବନେଶ୍ୱର ଯାଇ ଦାଖଲ କରିବା ଭଳି ଦୀର୍ଘ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ୁଛି ।

ବାଧ୍ୟତାମୂଳକ ଜନ୍ମ ପ୍ରମାଣପତ୍ର ଯୋଗାଡ଼ କରିବା ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ସାଜିଛି । ଏହି ଜଟିଳ ଆଧାର ନିୟମ ଯୋଗୁଁ ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ଜନଜାତି ସମ୍ପ୍ରଦାୟର ଲୋକେ ନାକେଦମ୍ ହୋଇଛନ୍ତି । ପଞ୍ଚାୟତରେ ଆୟୋଜିତ ଆଧାର ଶିବିରରେ ଜନ୍ମ ଓ ଆବାସିକ ପ୍ରମାଣପତ୍ର ମଗାଯିବାରୁ ଗ୍ରାମବାସୀ ଦାନଗଦି ଅଞ୍ଚଳକୁ ଯାଇଥିଲେ। ମାତ୍ର ବର୍ଷ ବର୍ଷ ଧରି ଟୀକା କାର୍ଡ ପୂରଣ ହୋଇନଥିବା ଏବଂ ଘରେ ଜନ୍ମ ହୋଇଥିବା ଶିଶୁଙ୍କ ପଞ୍ଜୀକରଣ ଅଭାବରୁ ସେମାନଙ୍କୁ ଜନ୍ମ ପ୍ରମାଣପତ୍ର ମିଳିପାରିନଥିଲା । ତରାଝରର ଲଛମନ ସାମାଡଙ୍କ ନେତୃତ୍ୱରେ ଗଣେଶ ତିରିଆ, ବଳରାମ ଚାତାର, ଶ୍ୟାମ ବାନାରା, ରଘୁନାଥ ପୂର୍ତ୍ତୀ, ରବି ହୋ, ଚିତ୍ତରଞ୍ଜନ ମୁଣ୍ଡା ଓ ସୋନାଲୀ ବାନାରାଙ୍କ ସମେତ ବହୁ ଗ୍ରାମବାସୀ ସଂଶୋଧନ ପାଇଁ ଉଦ୍ୟମ କରି ବିଫଳ ହୋଇ ନିରାଶାରେ ଫେରିଛନ୍ତି ।

ଏହି ଗରିବ ଓ ନିରକ୍ଷର ଲୋକେ ଅଦାଲତରେ ସତ୍ୟପାଠ କରି ଜନ୍ମ ପ୍ରମାଣପତ୍ର କିମ୍ୱା ଆଧାର କାର୍ଡ କରିବା କଷ୍ଟକର। ତେଣୁ ଏତେ ଲମ୍ବା ପ୍ରକ୍ରିୟା ଶୁଣିବା ପରେ ଲୋକେ ପଳାଇ ଆସିଲେ ବୋଲି କୁହନ୍ତି ସେହି ଗ୍ରାମର ଲଛମନ ସାମାଡ। କିଆଝର ପଞ୍ଚାୟତର ୨ ହଜାରରୁ ଅଧିକ ଲୋକଙ୍କର ଆଧାର କାର୍ଡ ନାହିଁ। ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଧାର ସଂଶୋଧନ ଶିବିର ଥିଲା । ସେଠାରେ ବାର୍ଥ ସାର୍ଟିଫିକେଟ, ରେସିଡେଣ୍ଟ ସାର୍ଟିଫିକେଟ ମାଗିବାରୁ ଆଜି ଲୋକେ ଦାନଗଦି ଯାଇଥିଲେ। ମାତ୍ର ସେଠାରେ ସରଳ ଭାବେ ନହେବା ଦେଖି ଲୋକେ ଫେରି ଆସିଛନ୍ତି । ଆଧାର କାର୍ଡ ଅଭାବରୁ ସ୍ଥାନୀୟ ଲୋକେ ଚାଉଳ, ଭତ୍ତା ଓ ସରକାରୀ ସୁବିଧା ପାଇପାରୁ ନଥିବା ବେଳେ ଶିଶୁମାନଙ୍କ ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହେଉଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତ୍ୟେକ ବ୍ଲକ୍ କିମ୍ବା ପଞ୍ଚାୟତ ସ୍ତରରେ ସରଳୀକୃତ ସ୍ଥାୟୀ ଆଧାର ଶିବିର ଖୋଲିବା ଦାବି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments