ଗଞ୍ଜାମ //ଭଞ୍ଜନଗର, (୨୫/୦୭) : ଆପ୍ର : ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଯୋଗିମାରି ନିକଟରେ ଦୁଇ ବାଇକ ମୁଁହାମୁହିଁ ଧକ୍କା ହୋଇଛି ।
ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ପନ୍ତିଖାରୀ ଗ୍ରାମର । ନିଜ ସ୍ତ୍ରୀ ଏବଂ ଝିଅଙ୍କୁ ନେଇ ବାଇକରେ ଯାଉଥିବା ବେଳେ, ଯୋଗିମାରୀ ଗାଁ ନିକଟର ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ୍ କୁ ଜବତ କରି, ତଦନ୍ତ ଚଳାଇଛି ଭଂଜନଗର ଥାନା ପୋଲିସ ।
ସେହିପରି ଗତକାଲି ଯାଜପୁରରେ ଟ୍ରକ ପଛରେ ପିଟି ହେଲା ନାଇଟ କୋଚ୍ ଯାତ୍ରୀବାହୀ ବସ । ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିଲେ । ଅଳ୍ପକେ ବର୍ତ୍ତିଥିଲେ ୫୦ରୁ ଅଧିକ ଯାତ୍ରୀ । ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ‘ସନା ଟ୍ରାଭେଲସ’ ନାମକ ଏକ ଯାତ୍ରୀବାହୀ ନାଇଟ କୋଚ ବସ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ପହଂଚି ଯାତ୍ରୀମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

