କାମାକ୍ଷାନଗର, (୦୩/୦୯) : ଆପ୍ର : ବାଇକ୍ ଆଗକୁ ହଠାତ୍ ଡେଇଁଲା ମାଙ୍କଡ଼ । ନିୟନ୍ତ୍ରଣ ହରାଇ ଦୁର୍ଘଟଣାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରିଡାମାଳି ନିକଟ ରେଙ୍ଗାଳି କେନାଲ ଉପରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ସାଧୁଆମୁଣ୍ଡା ଗାଁର ଧନେଶ୍ୱର ପଧାନ । କାମାକ୍ଷାନଗର ଏମ୍ ଆଇ ଅଫିସରେ କାର୍ଯ୍ୟରତ ଥିଲେ । ଆଜି ସକାଳେ ବାଇକ ଯୋଗେ କାମାକ୍ଷାନଗର ଆସୁଥିବା ବେଳେ ଜିରିଡାମାଳି ନିକଟରେ ହଠାତ୍ ଏକ ମାଙ୍କଡ଼ ବାଇକ ଆଗକୁ ଡେଇଁଥିଲା ।
ଫଳରେ ବାଇକର ଭାରସାମ୍ୟ ହରାଇ ଧନେଶ୍ୱର ରାସ୍ତାରେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଧନେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସାଧୁଆମୁଣ୍ଡା ଗାଁ ସମେତ ତାଙ୍କ କର୍ମସ୍ଥଳୀରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ନେଇ ମଧ୍ୟ ତଦନ୍ତ ଜାରି ରହିଛି ।

