ସୁବର୍ଣ୍ଣପୁର, (୦୩/୦୯) : ଆପ୍ର : ସୁବର୍ଣପୁର ଜିଲ୍ଲା ବିନିକା ରୁ ଖଲିଆପାଲି ରାସ୍ତାର ସୋନପୁର ଥାନା ଅଧିନସ୍ଥ ନାଗପାଲି ବୁଲାଣିରେ ଏକ ଟ୍ରକ୍ ଓ ବାଲି ବୋଝେଇ ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।
ଦୁର୍ଘଟଣାରେ ଟ୍ରକ୍ ରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ହାଇୱା ଚାଳକ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଖଲିଆପାଲି ଗ୍ରାମର ରମେଶ ସେଠୀ ଓ ଗୁରୁତର ଙ୍କ ନାମ ଜଣାପଡ଼ିନାହିଁ । ସୂଚନା ଅନୁସାରେ, ସୋନପୁର ପଟରୁ ଯାଉଥିବା ଟ୍ରକ୍ ସହ ଖଲିଆପାଲି ପଟରୁ ଆସୁଥିବା ବାଲି ବୋଝେଇ ହାଇୱାର ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଭୟ ଗାଡ଼ିରେ ଚାପି ହୋଇ ରହିଥିବା ଡ୍ରାଇଭର ଙ୍କୁ କଟର ସାହାଯ୍ୟରେ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ ।
ପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ଟ୍ରକ୍ ଚାଳକ ରମେଶକୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ଚିକିତ୍ସାପରେ ହାଇୱା ଚାଳକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଖବରପାଇ ହରଡ଼ଖୋଲ ଫାଣ୍ଡି ଅଧିକାରୀ ଧର୍ମେନ୍ଦ୍ର ମାଝି ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

