ରାୟଗଡା, (୧୦/୦୯) : ଆପ୍ର : ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ନିକଟସ୍ଥ ବୃନ୍ଦାବାଡ଼ି ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା ।
ରେଳ ଧାରଣା ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ହାତୀର ମୃତଦେହ ରେଳ ଧାରଣାଠାରୁ ପ୍ରାୟ ୩ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି । ରାତି ସମୟରେ କୌଣସି ଏକ ଟ୍ରେନ୍ ଧକ୍କା ଦେବା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ରାତିରେ କେଉଁ ଟ୍ରେନ୍ ଧକ୍କା ଦେଇଛି ତାହା ଜଣାପଡିନାହିଁ । ଖବର ପାଇବା ପରେ ଆରପିଏଫ୍ ଏବଂ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଛି ମାସ ହେବ କଳାହାଣ୍ଡି ଅଞ୍ଚଳରୁ ଆସିଥିବା ୪ଟି ହାତୀ ବିଷମକଟକ ବ୍ଲକର ଭାତପୁର ଓ ବୃନ୍ଦାବାଡ଼ି ଅଞ୍ଚଳରେ ଘୁରି ବୁଲୁଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆରପିଏଫ୍ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । କିନ୍ତୁ ବର୍ଷା ଲାଗି ରହିଥିବାରୁ ଉଦ୍ଧାର ଓ ତଦନ୍ତ କାର୍ଯ୍ୟରେ କିଛି ବିଳମ୍ବ ହେଉଛି । ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ହାତୀଟିର ମୃତ୍ୟୁ ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିବ ।

