ବରଗଡ଼, (୧୮/୧୧) : ଆପ୍ର : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ନିକଟସ୍ଥ ବଞ୍ଜାଳୀ ଢାବା ପଛପଟେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି ।
ଏହି ଚଢ଼ାଉରେ ପୋଲିସ ୬ ଜଣ ଜୁଆଡ଼ିଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ନଗଦ ୨୮,୬୫୦ ଟଙ୍କା, ୩ଟି ମଟରସାଇକେଲ ଏବଂ ୫ଟି ମୋବାଇଲ ଫୋନ୍ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଡଭଗା ଅଞ୍ଚଳରେ କିଛି ଦିନ ହେବ ବେଆଇନ ଭାବରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ ନିକଟରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା । ପୋଲିସ ଏକଜୁଟ୍ ହୋଇ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା ।
ଗିରଫ ଅଭିଯୁକ୍ତମାନେ ହେଲେ କୁମେଲସିଂହା ଅଞ୍ଚଳର ବିନୋଦ ନାଗ , ଡି. ସୁବା ରାଓ ,ପଞ୍ଚମ ବେହେରା, ଦୂଲମ୍ପୁରର ଭୋଳା ସାହୁ, ଗଡତିଆପାଲିର ଶ୍ଵେତ କୁମାର ବେସନ , ଗୋଡ଼ଭଗାର ବିଜୟ ପ୍ରଧାନ । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିବା ସହିତ ଜବତ ହୋଇଥିବା ଟଙ୍କା, ଗାଡ଼ି ଏବଂ ମୋବାଇଲକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଥିବାରୁ ସାଧାରଣରେ ଏହାକୁ ଉଚ୍ଚ ପ୍ରଶଂସା କରାଯାଇଛି ।

