ଭୁବନେଶ୍ୱର, (୨୧/୦୭) : ଆପ୍ର : ଜମି ଦେବାକୁ କହି ନେଇଥିଲେ ୪୦ ଲକ୍ଷ ଟଙ୍କା । ହେଲେ ଜମି ଦେଲେନି କି ଟଙ୍କା ବି ଫେରାଇଲେନି ।
ଟଙ୍କା ମାଗିବାରୁ ଅଭିଯୋଗକାରୀ ଓ ତାଙ୍କ ପରିବାରକୁ ମିଳିଲା ହତ୍ୟା ଧମକ । ଏଭଳି ଅଭିଯୋଗରେ ଅଭିଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ୨୦୧୮ ମସିହାରେ ବେଗୁନିଆ ମୌଜାରେ ଥିବା ଜମିକୁ ୧ କୋଟି ୭୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚୁକ୍ତି ହୋଇଥିଲା। ଅଭିଯୋଗକାରୀଙ୍କ ଠାରୁ ଅଗ୍ରୀମ ଭାବେ ୪୦ ଲକ୍ଷ ଟଙ୍କା ନେଇଥିଲେ ରମେଶ । ହେଲେ ପରେ ଜମି ରେଜିଷ୍ଟ୍ରେସନ କରିନଥିଲେ କି ଟଙ୍କା ଫେରାଇନଥିଲେ । ଏନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ପରେ ଆରମ୍ଭ ହୋଇଥିଲା ତଦନ୍ତ । ଦୀର୍ଘ ଦିନ ଧରି ଫେରାର ଥିବା ରମେଶଙ୍କୁ ବିଶ୍ୱସ୍ତ ସୂଚନା ଆଧାରରେ କାବୁ କରିଛି ପୋଲିସ । ତଦନ୍ତରୁ ଅଭିଯୁକ୍ତଙ୍କ ନାଁରେ ଏୟାରଫିଲ୍ଡ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ୩ଟି ପୂର୍ବ ମାମଲା ଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

