ସୁନ୍ଦରଗଡ଼, (୧୦/୦୯) : ଆପ୍ର : ଘଞ୍ଚ ଜଙ୍ଗଲ ଭିତରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ ଦେଶୀ ମଦ କାରବାର ଉପରେ ଏକ ବଡ଼ ଚଢ଼ାଉ କରିଛି ସୁନ୍ଦରଗଡ଼ ଅବକାରୀ ବିଭାଗ ।
ଲେଫ୍ରିପଡ଼ା ଥାନା ଅଧୀନ ପିଠାଭୂଇଁ ଜଙ୍ଗଲରେ ହୋଇଥିବା ମିଳିତ ରେଡ୍ରେ ୧୫,୬୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧,୩୮୦ ଲିଟର ଦେଶୀ ମଦ ଜବତ କରାଯାଇଛି । ସୂଚନା ଅନୁସାରେ, ସୁନ୍ଦରଗଡ଼ ମୋବାଇଲ ୟୁନିଟ୍, ଉଜ୍ଜ୍ୱଳପୁର ରେଞ୍ଜ ଓ ହେମଗିର ରେଞ୍ଜ ଅବକାରୀ ଟିମ୍ ପୁଲିସ ସହଯୋଗରେ ଜଙ୍ଗଲ ଭିତରେ ଏହି ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲେ । ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚରୁ ଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା ।
ଅବକାରୀ ବିଭାଗ କହିଛି, ଗୁପ୍ତ ସୂଚନା ଆଧାରରେ ଏହି ଚଢ଼ାଉର ଯୋଜନା କରାଯାଇଥିଲା । ଘଞ୍ଚ ଜଙ୍ଗଲ ଭିତରେ ମଦ ପ୍ରସ୍ତୁତି ସ୍ଥଳ ଠାବ କରିବା ଓ ସମସ୍ତ ସାମଗ୍ରୀ ନଷ୍ଟ କରିବା ବଡ଼ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଟିମ୍ ସଫଳତାର ସହ ଅଭିଯାନ ସମ୍ପୂର୍ଣ୍ଣ କରିଥିଲା । ଏହି ଚଢ଼ାଉକୁ ସୁନ୍ଦରଗଡ଼ ଜିଲ୍ଲାରେ ଅବକାରୀ ବିଭାଗର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।
ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର କବିତା କିରଣଙ୍କ ଉପସ୍ଥିତିରେ ଏହି ରେଡ୍ କରାଯାଇଥିଲା । ଅଭିଯାନରେ ମୋବାଇଲ ୟୁନିଟ୍ ଇନ୍ସପେକ୍ଟର ନିରଞ୍ଜନ ସାହୁ, ଉଜ୍ଜ୍ୱଳପୁର ରେଞ୍ଜ ଅଧିକାରୀ ରୂପେଶ ମୁଖୀ, ହେମଗିର ରେଞ୍ଜ ଅଧିକାରୀ ସୁମିତ କୁମାର ସାହୁଙ୍କ ସହ ଅବକାରୀ କର୍ମଚାରୀ ଓ ଲେଫ୍ରିପଡ଼ା ପୁଲିସ ସାମିଲ ହୋଇଥିଲେ। ଜବତ ମଦ କେଉଁଠି ଚାଲାଣ ହେଉଥିଲା ଓ ଏହି ବେଆଇନ କାରବାର ପଛରେ କିଏ ରହିଛି, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।

