Homelocalଓଡ଼ିଶା ଚାଉଳ ନେବାକୁ ଏଫ୍‌ସିଆଇ କୁନ୍ଥକୁନ୍ଥ

ଓଡ଼ିଶା ଚାଉଳ ନେବାକୁ ଏଫ୍‌ସିଆଇ କୁନ୍ଥକୁନ୍ଥ

ଭୁବନେଶ୍ୱର, (୨୪/୦୯) : ଆପ୍ର : ରାଜ୍ୟରେ ଖରିଫ ବିପଣନ ଋତୁ ୨୦୨୫-୨୬ ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ଚାଉଳ ସଂଗ୍ରହ ପ୍ରକ୍ରିୟା ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ପଛରେ ପଡ଼ିଛି ।

ଚଳିତ ବର୍ଷ ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଫ୍‌ସିଆଇକୁ ମୋଟ ୨୨ ଲକ୍ଷ ୧୬ ହଜାର ୦୭୪ ମେଟ୍ରିକ୍ ଟନ୍ ଚାଉଳ ଉଠାଇବାର ଟାର୍ଗେଟ୍ ଦିଆଯାଇଥିଲା । କିନ୍ତୁ, ବିଭାଗୀୟ ତଥ୍ୟ ଅନୁଯାୟୀ, ଏଫ୍‌ସିଆଇ ସେପ୍ଟେମ୍ବର ୧୭ ସୁଦ୍ଧା ମାତ୍ର ୮ ଲକ୍ଷ ୧୫ ହଜାର ୧୭୨ ମେଟ୍ରିକ୍ ଟନ୍ ଚାଉଳ ଉଠାଇବାରେ ସକ୍ଷମ ହୋଇଛି । ଏହା ମୋଟ ଟାର୍ଗେଟ୍‌ର ଅଧା ବି ନୁହେଁ। ଲକ୍ଷ୍ୟ ଏବଂ ବାସ୍ତବ ଉଠାଣ ମଧ୍ୟରେ ଥିବା ଏହି ବିରାଟ ବ୍ୟବଧାନ ବର୍ତ୍ତମାନ ରାଜ୍ୟର ଚାଷୀ ଓ ମିଲରମାନଙ୍କ ସହ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି ।

ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଚିନ୍ତାଜନକ ତଥ୍ୟ ଉପସ୍ଥାପନ କରିଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ, ଏଫସିଆଇ ଓଡ଼ିଶାରୁ ମୋଟ ୮.୧୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଗ୍ରହଣ କରିଛି । ଯେଉଁଥିରେ ୬.୨୩ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ରହିଥିବା ବେଳେ ୧.୮୯ ଲକ୍ଷ ମେଟ୍ରିକ ଟନ୍‌ ଅରୁଆ ଚାଉଳ ରହିଛି ।

ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୨୦୨୬ ମାର୍ଚ୍ଚରେ ୭୨,୦୦୦ ମେଟ୍ରିକ ଟନ୍ ଉଠାଇବା ପାଇଁ ଲକ୍ଷ୍ୟ ଥିବା ବେଳେ ଏଫସିଆଇ ମାତ୍ର ୯,୯୫୮ ଟନ୍ ଚାଉଳ ଉଠାଇଥିଲା । ଏପ୍ରିଲରେ ୩,୬୧,୦୭୪ ଟନ୍ ଟାର୍ଗେଟ୍ ତୁଳନାରେ କେବଳ ୧,୪୪,୦୬୫ ଟନ୍ ସଂଗ୍ରହ ହୋଇପାରିଥିଲା । ସେହିପରି ମେ’ ମାସରେ ୨,୭୦,୦୦୦ ଟନ୍ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୧,୪୬,୩୮୪ ଟନ୍ ଚାଉଳ ଉଠିଥିଲା । ଜୁନ୍‌ରେ ୩ ଲକ୍ଷ ୭୮ ହଜାର ଟନ୍ ଟାର୍ଗେଟ୍ ବିପକ୍ଷରେ ୧,୩୫,୮୩୯ଟନ୍, ଜୁଲାଇରେ ୩ ଲକ୍ଷ ୭୦ହଜାର ଟନ୍ ବିପକ୍ଷରେ ୧,୩୫,୮୮୫ ଟନ୍ ଏବଂ ଅଗଷ୍ଟରେ ମଧ୍ୟ ୩ ଲକ୍ଷ ୭୦ହଜାର ଟନ୍ ଲକ୍ଷ୍ୟ ଥାଇ କେବଳ ୧,୪୮,୧୫୦ ଟନ୍ ଚାଉଳ ଉଠାଯାଇଥିଲା । ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ୩ ଲକ୍ଷ ୯୫ ହଜାର ଟନ୍ ଓଡ଼ିଶା ଚାଉଳ ନେବାକୁ ଏଫ୍‌ସିଆଇ କୁନ୍ଥକୁନ୍ଥ ଟାର୍ଗେଟ୍ ରହିଥିବା ବେଳେ ମାତ୍ର ୯୪,୮୯୧ ଟନ୍ ଉଠାଣ ହୋଇପାରିଛି ।

ଏଫସିଆଇ ଦ୍ୱାରା ଓଡ଼ିଶାରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଚାଉଳ ଉଠାଣ ହେଉ ନଥିବାରୁ ଏହା ଏବେ ରାଜ୍ୟର ସାମଗ୍ରିକ ଧାନକ୍ରୟ ବ୍ୟବସ୍ଥା ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଆଗାମୀ ଖରିଫ ବିପଣନ ଋତୁ ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଥିବା ବେଳେ ମିଲ୍‌ଗୁଡ଼ିକରେ ବଳକା ପୁରୁଣା ଚାଉଳ ଜମା ହୋଇ ରହିବା ଉଭୟ ଚାଷୀ ଏବଂ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ଯଦି ଲକ୍ଷ୍ୟ ଅନୁଯାୟୀ ଏଫ୍‌ସିଆଇ ଚାଉଳ ନ ଉଠାଏ, ଚାଷୀଙ୍କ ଉତ୍ପାଦିତ ଧାନ କେଉଁଠି ରଖାଯିବ, ସେନେଇ ଚିନ୍ତା ଘାରିଲାଣି । ନିକଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟ ଯୋଗାଣ ନିଗମର ୪୭ତମ ପ୍ରତିଷ୍ଠା ଦିବସରେ ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଇବାରେ ପାତରଅନ୍ତର କାହିଁକି କରୁଛି ବୋଲି କହି ଅସହାୟତା ପ୍ରକାଶ କରିଥିଲେ ।

ଏଫସିଆଇର ଏଭଳି ମନ୍ଥର ଚାଉଳ ଉଠାଣ ପ୍ରକ୍ରିୟା ଯୋଗୁଁ ରାଜ୍ୟର ଚାଷୀ, ରାଇସ୍ ମିଲର ଏବଂ ସାମଗ୍ରିକ ଧାନକ୍ରୟ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି । ମିଲ୍‌ଗୁଡ଼ିକରେ ଚାଉଳ ଜମା ହୋଇ ରହିବା ଫଳରେ ନୂଆ ଧାନ କିଣିବାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ଅବଶ୍ୟ ଏହି ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ସମସ୍ୟାର ସମାଧାନ ପାଇଁ ତଥା ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ଚାଉଳକୁ ଶୀଘ୍ର ଉଠାଇବା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ନିୟମିତ ବ୍ୟବଧାନରେ ଯୋଗାଯୋଗ କରୁଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments