ଭୁବନେଶ୍ୱର, (୧୩/୦୯) : ଆପ୍ର : ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ଫୁଟିବନି ବାଣ । ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ ।
ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ ମୁତୟନ ରହିବେ ୩୦ପ୍ଲାଟୁନ ଫୋର୍ସ । ଜଟଣୀ ପାଇଁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜଟଣୀ ସମେତ ଭୁବନେଶ୍ୱରରେ ମୋଟ ୪୨୦ଟି ମେଢ଼ ପୂଜା ପାଇବେ । ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପୂଜାମଣ୍ଡପରେ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ସହ ଟ୍ରାଫିକ ପରିଚାଳନା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । ମଣ୍ଡପ ପକ୍ଷରୁ ବ୍ୟାପକ ଭଲ୍ୟୁଣ୍ଟର ସହ ସିସିଟିଭି ଜରିଆରେ ନଜର ରଖି ପରିଚାଳନା ପାଇଁ ଗୁରୁତ୍ବ ଦିଆଯାଇଛି । ସାଧାବେଶରେ ପୋଲିସ ମୁତୟନ ସହ ମହିଳା ପୋଲିସ୍ ମୁତୟନ ନେଇ ଗୁରୁତ୍ବ ଦିଆଯାଇଛି । ଅପରାଧୀଙ୍କ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ସହ ପିସିଆର ଆଲର୍ଟ କରଯାଇଛି । ମହିଳା ସୁରକ୍ଷାକୁ ଦୃଷ୍ଟିରେ ରଖି HER ଟିମକୁ ସକ୍ରିୟ ଭାବେ ନଜର ରଖିବାକୁ ନିର୍ଦ୍ଦଶ ରହିଛି । ୭ଟି ସ୍ଥାନରେ ମେଢ଼ ବିସର୍ଜନ ପାଇଁ ସ୍ଥାନ ନିରୁପଣ ସହ ତିନି ଦିନ ଭସାଣି ପାଇଁ ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇଛି ।

