ସମ୍ବଲପୁର, (୩୧/୦୭) : ଆପ୍ର : ଉପର ମୁଣ୍ଡରେ ପ୍ରବଳ ବର୍ଷା । ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ୧୦ ଗେଟ୍ । ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।
ମହାନଦୀ ଅବବାହିକା ଜିଲ୍ଲା ଗୁଡିକୁ ସତର୍କ ରହିବାକୁ କୁହାଯାଇଛି । ତଳିଆରେ ବନ୍ୟା ପାଣି ପଶିଥିବା ବେଳେ ଏବେ ଆଉ ୧୦ ଗେଟ ଖୋଲିବା ପରେ ପୁଣି ଛନକା ପଶିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଲଭଣ୍ଡାର କୁ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବେଶ କରୁଛି । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାର ର ଜଲସ୍ତର ୬୨୪ ଫୁଟ ହୋଇ ସାରିଲାଣି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୮୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ମାତ୍ର ୧ ଲକ୍ଷ ୮୦ ହଜ଼ାର କ୍ୟୁସେକ ଜଳ ଜଲଭଣ୍ଡାରରୁ ମହାନଦୀକୁ ନିଷ୍କାସନ କରାଯାଉଛି ।
ସେପଟେ ମହାନଦୀରେ ମଧ୍ୟମ ବନ୍ୟା ସ୍ଥିତି ଦେଖା ଦେଇଛି । ୫ ଜିଲ୍ଲାକୁ ହାଇଆଲର୍ଟ କରାଯାଇଛି । ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯ ଲକ୍ଷ କ୍ୟୁସେକ୍ ମଧ୍ୟରେ ପହଞ୍ଚିବା ପରେ ପ୍ରଶାସନ ସତର୍କତା ବଢ଼ାଇଛି । ଗଭୀର ଅବପାତ ପରେ ତେଲ, ଇବ୍ ଓ ଜିରା ନଦୀରୁ ବଢ଼ିଥିବା ଜଳପ୍ରବାହ ମହାନଦୀର ଜଳସ୍ତରକୁ ଆହୁରି ବଢ଼ାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି ।

