ଭୁବନେଶ୍ବର, (୧୫/୦୭) : ଆପ୍ର : ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ପ୍ରତି ଔଷଧ ଦୋକାନ ସାମ୍ନାରେ ଔଷଧର ଦର ସମ୍ପର୍କରେ ଚିଠା ଲାଗିବ ।
କେନ୍ଦ୍ର ସରକାର ୩୯ଟି ଔଷଧର ନିର୍ଦିଷ୍ଟ ଦର ଧାର୍ଯ୍ୟ କରିବା ପରେ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଫଳରେ, ଏଣିକି ଆଉ ଔଷଧ ଦୋକାନୀ ଭିନ୍ନଭିନ୍ନ ଦର କଷିପାରିବେ ନାହିଁ । ସାଧାରଣ ରୋଗୀ ବା ସମ୍ପର୍କୀୟ ମଧ୍ୟ ହଟହଟା ହେବେ ନାହିଁ । ପ୍ରତି ଔଷଧ ଦୋକାନରେ ଦର ଚିଠା ଲାଗିବ । ତାହା ପୁଣି ସମାନ ଦର ରହିବ । ରାଜ୍ୟର ଯେକୌଣସି ସ୍ଥାନରୁ ଧାର୍ଯ୍ୟ କରାଯାଇଥିବା ଔଷଧ କିଣିଲେ ଦର ସବୁଠି ସମାନ ରହିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲିକାକୁ ରାଜ୍ୟର ସମସ୍ତ ଔଷଧ ଦୋକାନରେ ଲଗାଯିବ। ବିଶେଷକରି ରକ୍ତଚାପ, ମଧୁମେହ, ହୃଦରୋଗ ଆଦି ବିଭିନ୍ନ ରୋଗର ୩୯ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର । ଏହାକୁ ଆଧାର କରି ରାଜ୍ୟରେ ସମାନ ଦର କରାଯିବ ବୋଲି ଜଣାପଡ଼ିଛି ।

