ଭୁବନେଶ୍ୱର, (୦୨/୦୮) : ଆପ୍ର : ଓଡ଼ିଶାକୁ SDRFର କେନ୍ଦ୍ରୀୟ ଅଂଶରୁ ମିଳିଲା ୫୦୦ କୋଟି ଟଙ୍କା । କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠିର କେନ୍ଦ୍ରୀୟ ଅଂଶରୁ ଓଡ଼ିଶାକୁ ୫୦୦ କୋଟି ଟଙ୍କା ଅଗ୍ରୀମ ଭାବେ ଦେଇଛନ୍ତି ।
ଏହି ରାଶି ୨୦୨୬–୨୭ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତିର କେନ୍ଦ୍ରୀୟ ଅଂଶ ଭାବେ ମଞ୍ଜୁର କରାଯାଇଛି । SDRF ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ରିଲିଫ୍ ଓ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ପାଣ୍ଠି । ସାଧାରଣ ଶ୍ରେଣୀର ରାଜ୍ୟମାନଙ୍କ ପାଇଁ ଏହି ପାଣ୍ଠିର ୭୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଓ ୨୫ ପ୍ରତିଶତ ଅର୍ଥ ରାଜ୍ୟ ସରକାର ପ୍ରଦାନ କରନ୍ତି । ଅର୍ଥାତ୍ , ଏହା ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନ ନୁହେଁ । ବରଂ କେନ୍ଦ୍ର ଓ ରାଜ୍ୟର ମିଳିତ ଅବଦାନରେ ଗଠିତ ପାଣ୍ଠି । ଏହି ଅର୍ଥ ବନ୍ୟା, ବାତ୍ୟା, ଭୂକମ୍ପ, ମରୁଡ଼ି, ଭୂସ୍ଖଳନ, ଅଗ୍ନିକାଣ୍ଡ, ବଜ୍ରପାତ ଓ ଅନ୍ୟାନ୍ୟ ଅଧିସୂଚିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ରିଲିଫ୍ , ଉଦ୍ଧାର ଏବଂ ଜରୁରୀ ସହାୟତା କାର୍ଯ୍ୟରେ ବ୍ୟବହୃତ ହୁଏ ।
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଅଗଷ୍ଟ୧ରେ ବନ୍ୟା ପ୍ରଭାବିତ ସାତଟି ରାଜ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠିର କେନ୍ଦ୍ରୀୟ ଅଂଶରୁ ମୋଟ ୨ ହଜାର ୧୧୭ କୋଟି ୮୫ ଲକ୍ଷ ଟଙ୍କାର ଅଗ୍ରୀମ ଅନୁମୋଦନ କରିଛନ୍ତି । ଏଥିମଧ୍ୟରୁ ଓଡ଼ିଶାକୁ ୨୦୨୬-୨୭ ଆର୍ଥିକ ବର୍ଷର SDRFର କେନ୍ଦ୍ରୀୟ ଅଂଶର ଦ୍ୱିତୀୟ କିସ୍ତି ବାବଦରେ ୫୦୦ କୋଟି ଟଙ୍କା ଅଗ୍ରୀମ ଭାବେ ମଞ୍ଜୁର କରାଯାଇଛି ।
ଓଡ଼ିଶା ପୂର୍ବରୁ ପ୍ରଥମ କିସ୍ତି ପାଇସାରିଛି । ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡ ମଧ୍ୟ ଏହି ଅର୍ଥ ସହାୟତା ପାଇଛନ୍ତି । SDRFର ଅର୍ଥ ଅପର୍ଯ୍ୟାପ୍ତ ହେଲେ ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠିରୁ ଅତିରିକ୍ତ ସହାୟତା ମାଗିପାରିବେ। ବର୍ତ୍ତମାନ ମଞ୍ଜୁର ହୋଇଥିବା ୫୦୦ କୋଟି ଟଙ୍କା ଓଡ଼ିଶାର ବନ୍ୟା ରିଲିଫ୍ , ଉଦ୍ଧାର ଓ ତୁରନ୍ତ ସହାୟତା କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ।

