ଭୁବନେଶ୍ବର, (୦୮/୧୦) : ଆପ୍ର : ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା ସ୍ଥଗିତ ହେବ ନାହିଁ ।
ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ସ୍ୱାଭାବିକ ଭାବେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜ୍ୟର ୩୦ଟି ଯାକ ଜିଲ୍ଲାର ୬୪ ଟି କେନ୍ଦ୍ରରେ ୧୨ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା ଅକ୍ଟୋବର ୩ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ ।
ଆଜି FC-୧ (C/E) ପେପର୍ ପରୀକ୍ଷା ହେବ । ପରୀକ୍ଷା ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ବନ୍ଦ ପାଳନ ଯୋଗୁଁ ପରୀକ୍ଷାର୍ଥୀମାନେ ଯାତାୟାତରେ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସକାଳ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପରାମର୍ଶ ଦେଇଛି। ବନ୍ଦ ଯୋଗୁଁ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ପରୀକ୍ଷାର୍ଥୀମାନେ ଧାର୍ଯ୍ୟ ସମୟରେ କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।

