ଦେବଗଡ଼, (୧୬/୦୮) : ଆପ୍ର : ଦେବଗଡ଼ରେ ପୋଲ ଉପରେ ଆଣ୍ଠୁଏ ପାଣି । ଅଧାରେ ଅଟକିଲା ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ବୋହି ଟାଙ୍କୁଜୁରା ନାଳ ଅତିକ୍ରମ କଲେ ପରିବାର ଲୋକେ ।
ବାରକୋଟ ବ୍ଲକ କାଳିଆପାଳ ଗାଁ’ର ଘଟଣା । ଆମ୍ବୁଲାନ୍ସ ଭିତରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ କାଳିଆପାଳ ଗ୍ରାମକୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଛି । ଫଳରେ ଯାଇପାରିଲାନି ଆମ୍ବୁଲାନ୍ସ। କାଳିଆପାଳ ଗାଁ ନିକଟ ଟାଙ୍କୁଜୁରା ନାଳରେ ପ୍ରବାହିତ ହେଉଛି ବନ୍ୟା ପାଣି । ଗର୍ଭବତୀ ମହିଳାଙ୍କୁ ବୋହି ନାଳ ଅତିକ୍ରମ କରାଇଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ଭିତରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ମହିଳା । ବାରକୋଟ ଡାକ୍ତରଖାନାରେ ପ୍ରସୂତୀ ମହିଳା ଓ ନବଜାତ ଶିଶୁର ଚିକିତ୍ସା ଜାରି ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ବଢ଼ିଲେ ନାଳରେ ପାଣି ବଢ଼ିଯାଉଛି ଏବଂ ପୋଲ ଉପରେ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ୁଛି । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

