Homelocalଉପକୂଳ ମୁହାଁ ଗଭୀର ଅବପାତ, ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି

ଉପକୂଳ ମୁହାଁ ଗଭୀର ଅବପାତ, ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି

ଭୁବନେଶ୍ୱର, (୨୩/୦୯) : ଆପ୍ର : ଉପକୂଳ ମୁହାଁ ଗଭୀର ଅବପାତ । ଆଜି ରାତିରେ ଲ୍ୟାଣ୍ଡଫଲ୍ । ​ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ପଶ୍ଚିମ-କେନ୍ଦ୍ରୀୟ ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଗତକାଲି ସଂଧ୍ୟାରୁ ଗଭୀର ଅବପାତ ରୂପ ନେଇଛି । ଏହା ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଗଭୀର ଅବପାତଟି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ପ୍ରାୟ ୧୦୦ କିମି ପୂର୍ବ-ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ, ବିଶାଖାପାଟଣାରୁ ୧୮୦ କିମି ପୂର୍ବ-ଉତ୍ତରପୂର୍ବ ଏବଂ ପୁରୀଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରତାରେ କେନ୍ଦ୍ରୀଭୂତ ହୋଇ ରହିଛି ।

​ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ପ୍ରଣାଳୀ ଆଗାମୀ କିଛି ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବ। ଆଜି ରାତିରେ ଏହା ଏକ ଗଭୀର ଅବପାତ ରୂପରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ କଳିଙ୍ଗପଟ୍ଟନମ୍ ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ​ସ୍ଥଳଭାଗ ଛୁଇଁବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବା ସହ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ଝଟକା ପବନ ବହିବାର ଆଶଙ୍କା ରହିଛି ।

ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ଲଗାଣ ଓ ମୂଷଳଧାରା ବର୍ଷାର ସମ୍ଭାବନା ରହିଛି । ଗଭୀର ଅବପାତ ଉପକୂଳ ଅତିକ୍ରମ କରିବା ପରେ ଏହାର ପ୍ରଭାବ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ସଂଲଗ୍ନ ଛତିଶଗଡ଼ ଆଡ଼କୁ ବଢ଼ିପାରେ ।

ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ସ୍ଥାନୀୟ ବନ୍ୟା, କଚ୍ଚା ରାସ୍ତା କ୍ଷତିଗ୍ରସ୍ତ ହେବା ଏବଂ ଯାତାୟାତରେ ବାଧା ଉପୁଜିପାରେ । କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି । ଉପକୂଳ ଓ ସମୁଦ୍ର ମଧ୍ୟରେ ଝଡ଼ ପବନ ସହ ସମୁଦ୍ର ଅଶାନ୍ତ ରହିପାରେ । ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପୁରୀ ଏବଂ ଗୋପାଳପୁର ସମୁଦ୍ରକୂଳରେ ଲାଲ ପତାକା ଲଗାଯାଇ ପର୍ଯ୍ୟଟକମାନଙ୍କୁ ସମୁଦ୍ରରେ ଗାଧୋଇବା ଉପରେ କଟକଣା ଲଗାଯାଇଛି । ​

ଗଭୀର ଅବପାତ ପ୍ରଭାବରେ ସମଗ୍ର ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୩୩ଟି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଦଳକୁ ମୁତୟନ କରାଯାଇଛି । ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଜଳସ୍ତର ଏବଂ ଜଳଭଣ୍ଡାରଗୁଡ଼ିକ ଉପରେ ଜଳସମ୍ପଦ ବିଭାଗ ନିରନ୍ତର ନଜର ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments