Homelocalବଙ୍ଗୋପସାଗରରେ ଆଜି ଲଘୁଚାପ! କାଲିଠୁ ଓଡ଼ିଶାରେ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଜି ଲଘୁଚାପ! କାଲିଠୁ ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ବର, (୧୩/୧୦) : ଆପ୍ର : ଆଜି ବଙ୍ଗୋପସାଗରରେ ଲଘୁଚାପ । କାଲିଠୁ ଓଡ଼ିଶାରେ ବର୍ଷା ବଢ଼ିବା ଆଶଙ୍କା । ପୁଣି ବଦଳିବ ପାଗ ।

ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ବିଶେଷକରି ୧୪ ଓ ୧୫ ଅକ୍ଟୋବରରେ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ରହିଛି । ଦୁର୍ଗାପୂଜା ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତା ବଢ଼ିଛି । ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହେବାର ଅନୁକୂଳ ପରିସ୍ଥିତି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ । ତେବେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ।

ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନ ଯୋଗୁଁ ଆଜି ରାତିରୁ ରାଜ୍ୟର କେତେକ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୪ ଓ ୧୫ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ଓ ପବନ ସହ ବର୍ଷାର ସମ୍ଭାବନା ରହିଛି । ତେବେ କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଲଘୁଚାପର ଗତିପଥ ଉପରେ ନିର୍ଭର କରିବ । ବିଭିନ୍ନ ପାଣିପାଗ ମଡେଲ୍ ରେ ମଧ୍ୟ ବଙ୍ଗୋପସାଗରରେ ଏହି ପାଣିପାଗ ବ୍ୟବସ୍ଥା ସକ୍ରିୟ ହେବାର ସଙ୍କେତ ମିଳୁଛି । ତେବେ ଲଘୁଚାପ କେତେ ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର କେତେ ପ୍ରଭାବ ପଡ଼ିବ, ସେନେଇ ମଡେଲ୍ ଗୁଡ଼ିକର ପୂର୍ବାନୁମାନରେ ଭିନ୍ନତା ରହିଛି ।

ଏପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ବାତ୍ୟା ଆଶଙ୍କା ନିଶ୍ଚିତ ହୋଇନାହିଁ । ଅନ୍ୟପଟେ ଦୁର୍ଗାପୂଜା ପାଇଁ ରାଜ୍ୟର ବିଭିନ୍ନ ସହରରେ ମଣ୍ଡପ ନିର୍ମାଣ, ସାଜସଜ୍ଜା ଓ ବଜାର ପ୍ରସ୍ତୁତି ଚାଲିଛି । ଏଭଳି ସମୟରେ ବର୍ଷା ହେଲେ ପୂଜା ପ୍ରସ୍ତୁତି ଓ କିଣାବିକା ପ୍ରଭାବିତ ହୋଇପାରେ । ବିଶେଷକରି ଖୋଲା ସ୍ଥାନରେ ଚାଲିଥିବା ମଣ୍ଡପ କାମ ଓ ଆଲୋକ ସାଜସଜ୍ଜାରେ ସମସ୍ୟା ଦେଖାଦେଇପାରେ । ୧୬ ଅକ୍ଟୋବର ବେଳକୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ଥିଲେ ମଧ୍ୟ ଏହା ଲଘୁଚାପର ପରବର୍ତ୍ତୀ ସ୍ଥିତି ଉପରେ ନିର୍ଭର କରିବ । ତେଣୁ ଆଗାମୀ କିଛି ଦିନର ପାଣିପାଗ ପୂର୍ବାନୁମାନ ଓ ସତର୍କ ସୂଚନା ଉପରେ ନଜର ରଖିବାକୁ ପଡ଼ିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments