Homelocalଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା, ସକାଳ ୯ଟାରୁ ପ୍ରଥମ ସିଟିଂ

ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା, ସକାଳ ୯ଟାରୁ ପ୍ରଥମ ସିଟିଂ

ଭୁବନେଶ୍ୱର, (୩୧/୧୦) : ଆପ୍ର : ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା । ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ।

ଓଡ଼ିଶା ସିଭିଲ୍ ସର୍ଭିସେସ୍ ବା OCS ମୁଖ୍ୟ ଲିଖିତ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି । ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଆୟୋଜନ କରାଯାଉଛି । ପ୍ରଥମ ଦିନ ଅର୍ଥାତ୍ ଆଜି ଦିନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଆ ଭାଷା ପରୀକ୍ଷା ହେବ । ସେହିପରି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଇଂରାଜୀ ଭାଷା ପରୀକ୍ଷା ଅନୁଷ୍ଠିତ ହେବ ।

ନଭେମ୍ବର ୨ରେ ସାଧାରଣ ଅଧ୍ୟୟନର ପ୍ରଥମ ଓ ଦ୍ୱିତୀୟ ପେପର୍, ନଭେମ୍ବର ୪ରେ ତୃତୀୟ ଓ ଚତୁର୍ଥ ପେପର୍, ନଭେମ୍ବର ୫ରେ ପ୍ରବନ୍ଧ ଓ ନଭେମ୍ବର ୭ରେ ଇଚ୍ଛାଧୀନ ବିଷୟର ଦୁଇଟି ପେପର୍ ପରୀକ୍ଷା ହେବ । ତେବେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବନ୍ୟା ପରିସ୍ଥିତି ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ବିଭିନ୍ନ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନେଇ ସମସ୍ୟା ରହିଛି । ବିଶେଷକରି ଆସିକା, ସୋରଡ଼ା ଓ ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ପାଇଁ ଯାତାୟାତ ବଡ଼ ଚିନ୍ତାର କାରଣ ହୋଇଛି ।

ଏହି ପରିସ୍ଥିତିରେ ପରୀକ୍ଷା ସ୍ଥଗିତ ରଖିବାକୁ କିଛି ପରୀକ୍ଷାର୍ଥୀ ଦାବି କରିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ପରୀକ୍ଷା ସ୍ଥଗିତ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ପ୍ରଭାବିତ ଅଞ୍ଚଳର ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀଙ୍କ ଯାତାୟାତ ସମସ୍ୟା ରହିଛି । ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ରହ୍ମପୁର ଓ ଜୟପୁର ଜୋନ୍ ରେ ସହାୟତା ପାଇଁ ନୋଡାଲ୍ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ମଧ୍ୟ ଜାରି କରାଯାଇଛି । ପରୀକ୍ଷାର୍ଥୀମାନଙ୍କୁ ଆଡ୍ ମିଟ୍ କାର୍ଡ ଓ ଆବଶ୍ୟକ ପରିଚୟପତ୍ର ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନର ସହାୟତା ବ୍ୟବସ୍ଥା କେତେ ଫଳପ୍ରଦ ହେଉଛି, ତାହା ଉପରେ ନଜର ରହିବ। ଆଜିଠୁ ନଭେମ୍ବର ୭ ମଧ୍ୟରେ ବିଭିନ୍ନ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments