ବ୍ରହ୍ମପୁର, (୨୫/୦୯) : ଆପ୍ର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ବୁରାତାଲ ପଞ୍ଚାୟତର ଦୁର୍ଗମ ପାହାଡ଼ ଉପରେ ରହୁଥିବା ଜାମୁଗଣ୍ଡର ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ ମହେନ୍ଦ୍ରତନୟା ନଦୀରେ ଦୀର୍ଘ ତିନି ଘଣ୍ଟାରେ ବୋଟ ସାହାଯ୍ୟରେ ଅଣାଯାଇଥିଲା ।
ଏହାପରେ ତାଙ୍କୁ ପାତ୍ରପୁର CHC କୁ ନିଆଯାଇଥିଲା । ଜାମୁଗଣ୍ଡ ରେ ୧୪ ପରିବାର ରହୁଛନ୍ତି । ପ୍ରବଳ ବର୍ଷା ରହିଥିବା ଯୋଗୁଁ ପଞ୍ଚାୟତର ଅନେକ ଦୁର୍ଗମ ଗାଁ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଏହି ମହିଳା ଜଣକ ଯିବା ପାଇଁ ରାଜି ହୋଇନଥିଲେ । ଶରତ ମଲିକଙ୍କ ଗର୍ଭବତୀ ସ୍ତ୍ରୀ ବେଦନା ଅନୁଭବ କରିବା ପରେ ବିଡ଼ିଓଙ୍କୁ ଜଣାଇଥିଲେ । ଏହାପରେ ବିଡ଼ିଓ ଲକ୍ଷ୍ମଣ ସୋରେନ ଓଡ୍ରାଫ ଟିମ ବ୍ଲକ କର୍ମଚାରୀ,ମେଡିକାଲ କର୍ମଚାରୀ ପହଞ୍ଚି ବୋଟକୁ ଦଉଡି ଲଗାଇ ଭରା ଉଛୁଳା ନଦୀରେ ମହିଳାଙ୍କୁ ଆଣି ମେଡିକାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ ।

