ରାୟଗଡା, (୨୫/୦୭) : ଆପ୍ର : ରାୟଗଡା ସହରର ରାଣୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତ ୯ ତାରିଖରେ ଅନିୟମିତତା ନେଇ ଗଣମାଧ୍ୟମରେ ପ୍ରସାରଣ କରିଥିବା ଖବର ପରେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଶିକ୍ଷକ ସ୍ୱାମୀ ସ୍ତ୍ରୀଙ୍କ ବିଦ୍ୟାଳୟ ପରିଚାଳନା କରୁଥିବା, ପିଲାଙ୍କୁ ନିୟମିତ ପାଠପଢା ଓ ମଧ୍ୟାହ୍ନ ଭୋଜନ ମିଳୁନଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ ତଦନ୍ତର ପ୍ରତିଶ୍ରୁତି ଦେଇଥିଲା। ହେଲେ ପ୍ରଶ୍ନ ଉଠୁଛି, ଘଟଣାକୁ ୧୫ ଦିନରୁ ଉର୍ଦ୍ଧ୍ବ ହୋଇଥିଲେ ସୁଦ୍ଧା ତଦନ୍ତ କେଉଁଠି ପହଞ୍ଚିଲା ତାହା ସ୍ପଷ୍ଟ ସୂଚନା ମିଳିପାରିନାହିଁ ? ଏହା ସହ ଏଭଳି ଅନିୟମିତତା ବନ୍ଦ ହେଲା ନା ନାହିଁ ? ପ୍ରାଥମିକ ବିଦ୍ୟାଳୟକୁ ନେଇ ସ୍ଥାନୀୟ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ବଢ଼ିଛି । ବିଦ୍ୟାଳୟରେ ବାହାର ଲୋକଙ୍କ ହସ୍ତକ୍ଷେପ, ନିୟମିତ ପାଠପଢାର ଅଭାବ ଏବଂ ମଧ୍ୟାହ୍ନ ଭୋଜନକୁ ନେଇ ଉଠିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଅଭିଭାବକ ।
ଅନ୍ୟପଟେ, ଖବର ପ୍ରସାରଣ ପରେ ସ୍ତ୍ରୀଙ୍କ ବିଦ୍ୟାଳୟରେ ନିୟମିତ ଦେଖାଯାଉଥିବା ଶିକ୍ଷକ ଆଉ ଦେଖାଯାଉନଥିବା ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ଘଟଣାକୁ ନେଇ ଶିକ୍ଷାଧିକାରୀ ଭାବେ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତର ଆଶ୍ୱାସନ ଦେଇଥିଲେ ମଧ୍ୟ ଉକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ମଧୁଚନ୍ଦ୍ରିକା ସମ୍ପର୍କ କୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ତଦନ୍ତ ଆରମ୍ଭ ହୋଇଛି କି, କୌଣସି ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି କି, କିମ୍ବା ଦୋଷୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏପଟେ ଅଭିଭାବକମାନେ କହୁଛନ୍ତି, କେବଳ ତଦନ୍ତର ପ୍ରତିଶ୍ରୁତି ନୁହେଁ, ପିଲାଙ୍କ ଶିକ୍ଷା ଓ ବିଦ୍ୟାଳୟ ପରିଚାଳନାରେ ତୁରନ୍ତ ସୁଧାର ଆଣିବା ଆବଶ୍ୟକ । ସରକାର ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାୟଗଡା ସହରର ଏହି ବିଦ୍ୟାଳୟକୁ ନେଇ ଉଠିଥିବା ଅଭିଯୋଗ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ତଦନ୍ତ କେବଳ କାଗଜପତ୍ରରେ ସୀମିତ ରହିବ ନା ଦୋଷୀଙ୍କ ବିରୋଧରେ ବାସ୍ତବ ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ।

