ଗୁଣପୁର, (୪/୧୧) : ଆପ୍ର : ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି କାର୍ତ୍ତିକ ସମ ମାସ ନାହିଁ , ସତ୍ୟଯୁଗ ସମ ଯୁଗ ନାହିଁ , ବେଦ ସମ ଶାସ୍ତ୍ର ନାହିଁ ଓ ଗଙ୍ଗା ସମ ତିର୍ଥ ନାହିଁ ।
ଏହି କାରଣରୁ ପବିତ୍ର କାର୍ତ୍ତିକ ମାସରେ ଭଗବାନ ଙ୍କ ପାଇଁ ଏକ ଛୋଟ କାମ ମଧ୍ୟ ପ୍ରେମ ଓ ଭକ୍ତି ସହକାରେ କଲେ ତାର ଫଳ ଛୋଟ ହୋଇ ରହେ ନାହିଁ । ଏହି ମାସକୁ ଦାମୋଦର ମାସ ମଧ୍ୟ କୁହାଯାଏ । କାର୍ତ୍ତିକ ମାସ ଏଭଳି ଏକ ପବିତ୍ର ମାସ ଯାହା ହୃଦୟକୁ ଭକ୍ତିରେ ଭରିଦିଏ । ଏହି ମାସରେ ଦୀପ ଜାଳିବା , ତୁଳସୀ ପୂଜନ ସହ ହରିନାମ ସଙ୍କୀର୍ତ୍ତନ କୁ ବିଶେଷ ଗୁରୁତ୍ବ ଦିଆଯାଏ । ଆଧୁନିକତାର ଚାକଚକ୍ୟରେ ମଣିଷ ପୂଜାପାଠ ଠାରୁ ଦୁରେଇ ଯାଉଥିବା ବେଳେ ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଗରଣ୍ଡା ଗ୍ରାମରେ ଆଜିବି ବଞ୍ଚି ରହିଛି ସନାତନି ପରମ୍ପରା । ଗ୍ରାମର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଗଢ଼ିଛନ୍ତି ଜୟ ଶ୍ରୀକୃଷ୍ଣ ଚୈତନ୍ୟ ନିତାଇ ଗୌର ସଂକିର୍ତ୍ତନ ମଣ୍ଡଳୀ । ଏହି ମଣ୍ଡଳୀର ନାମ ସଙ୍କୀର୍ତ୍ତନ ଶୁଣିଲେ ମନ ଭକ୍ତିରେ ଭରି ଉଠେ ।
ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଵିକ୍ରମପୁର ସଙ୍ଗମସ୍ଥଳୀ ସ୍ଥିତ ଅଦ୍ଵୈତ ବେଦାନ୍ତ ଆଶ୍ରମରେ ବାବା ନଳିନୀ କାନ୍ତ ଙ୍କ ପୌରହିତ୍ୟରେ ମାନଵ ସମାଜର କଲ୍ୟାଣ ନିମନ୍ତେ ତ୍ରିଂଶଦିନ ବ୍ୟାପୀ ଚାଲୁରହିଛି ହରିନାମ ସଙ୍କୀର୍ତ୍ତନ ସାଙ୍ଗକୁ ଅନ୍ନ ଯଜ୍ଞ । ଆଜି ଏହି ଅବସରରେ ଆଶ୍ରମ ପରିସରରେ ଗୁରୁ ଶ୍ରୀ ସୁବାସ ରଥ ଓ କୁଲୁ ସେଠି ଙ୍କ ପ୍ରୟାସରେ ଗରଣ୍ଡା ଗ୍ରାମର ଜୟ ଶ୍ରୀକୃଷ୍ଣ ଚୈତନ୍ୟ ନିତାଇ ଗୌର ସଂକୀର୍ତ୍ତନ ମଣ୍ଡଳୀ ଆସି ହରିନାମ ସଙ୍କୀର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । ମଣ୍ଡଳୀ ସଦସ୍ୟ ଙ୍କ ହରିନାମ ସଙ୍କୀର୍ତ୍ତନ ରେ ଆଶ୍ରମ ପରିସରରେ ଭାବ ଓ ଭକ୍ତିର ପରିବେଶ ସୃଷ୍ଟି ହୋଇଥିଲା । ଵାବା ନଳିନୀ କାନ୍ତ ଙ୍କ ମତରେ ପ୍ରାଣୀ ଏହି ଯମ ଯନ୍ତ୍ରଣା ରୁ ମୁକ୍ତି ପାଇବାକୁ ହେଲେ କାର୍ତ୍ତିକ ବ୍ରତ ଓ ହରିରାମ ସଂକିର୍ତ୍ତନ ଏକମାତ୍ର ମାର୍ଗ ।

