ଦେବଗଡ଼, (୨୧/୦୮) : ଆପ୍ର : ସାମାନ୍ୟ ବଚସାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଛୁରାମାଡ । ଏଭଳି ଜଘନ୍ୟ ହତ୍ୟାକାଣ୍ତ ଘଟିଛି, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡ଼ା ଗ୍ରାମରେ ।
ଛୁରାମାଡରେ ପୁଅ ଟିକେଶ୍ଵର ସାହୁ ଆହାତ ହୋଇଥିବା ବେଳେ ତାଙ୍କ ବାପା ଗୌତମ ସାହୁଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁଯାୟୀ, ଗୌଡସୁଗୁଡ଼ା ଗ୍ରାମରେ ଏକ ମଣ୍ଡପ ନିର୍ମାଣ କାମ ଚାଲିଥିଲା । ଆଜି ସକାଳେ ଗୌତମ ସାହୁ ଏକ ପାଣି ଟ୍ୟାଙ୍କର ନେଇ ସେହି ରାସ୍ତା ଦେଇ ଯାଉଥିଲେ । ତେବେ ରାସ୍ତାରେ ଗୋରୁ ବନ୍ଧା ହୋଇଥିବାରୁ ଟ୍ୟାଙ୍କର ଯିବାରେ ସମସ୍ୟା ହୋଇଥିଲା । ଏନେଇ ବିଜୟ ନାଏକଙ୍କୁ ଗୌତମ ଗୋରୁ ହଟାଇବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଗୌତମଙ୍କ ପୁଅ ଟିକେଶ୍ୱର ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୋଗ ଅନୁଯାୟୀ, ବଚସା ମଧ୍ୟରେ ବିଜୟ ଉତ୍ତ୍ୟକ୍ତ ହୋଇ ଘରୁ ଏକ ଛୁରୀ ଆଣି ବାପା-ପୁଅଙ୍କ ଉପରେ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ଗୌତମଙ୍କ ପେଟରେ ଗଭୀର ଆଘାତ ଲାଗିଥିବାବେଳେ ଟିକେଶ୍ୱରଙ୍କ ପିଠିରେ ଆଘାତ ଲାଗିଥିଲା ।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଡାକ୍ତର ଗୌତମ ସାହୁଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଟିକେଶ୍ୱରଙ୍କୁ ଉତ୍ତମ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ବାରକୋଟ ପୁଲିସ ହତ୍ୟା ଅଭିଯୁକ୍ତ ବିଜୟ ନାଏକଙ୍କୁ ଅଟକ ରଖିବା ସହ ଘଟଣା ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

