Homelocalସମ୍ବଲପୁରୀ ଦିନ୍ ପାଇଁ ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ; ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା...

ସମ୍ବଲପୁରୀ ଦିନ୍ ପାଇଁ ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ; ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଜଣାଇଲେ ଶୁଭେଚ୍ଛା

ସମ୍ବଲପୁର, (୦୧/୦୮) : ଆପ୍ର : ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ବେଶ ଉତ୍ସାହ ଓ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଛି ସମ୍ବଲପୁରୀ ଦିବସ

ସମ୍ବଲପୁରୀ ଭାଷା, ସଂସ୍କୃତି, ଲୋକକଳା ଓ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ଲୋକମାନେ ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ପୋଷାକ ପରିଧାନ କରିଥିଲେ । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ଖାଦ୍ୟର ଆୟୋଜନ କରାଯାଇଛି । ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଭାଷାର ବିଶିଷ୍ଟ ପଣ୍ଡିତ ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ। ୧୯୧୩ ମସିହାରେ ସେ ତତ୍କାଳୀନ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସେ ଜୀବନସାରା କାମ କରିଥିଲେ ।

ଗୁରୁ ସତ୍ୟନାରାୟଣ ବୋହିଦାର ‘ସମ୍ବଲପୁରୀ ଭାଷାକୋଷ’ ରଚନା କରିଥିଲେ, ଯାହା ସମ୍ବଲପୁରୀ ଭାଷାର ପ୍ରଥମ ଅଭିଧାନ ଭାବେ ପରିଚିତ । ଏହା ବ୍ୟତୀତ ସେ ‘ଟିକ୍ ଚାହଁରା’, ‘ଘୁଭକୁଡୁ’ ଓ ‘ଘାଭଘାଭୋ’ ପରି ଅନେକ ସାହିତ୍ୟ କୃତି ରଚନା କରି ସମ୍ବଲପୁରୀ ସାହିତ୍ୟକୁ ସମୃଦ୍ଧ କରିଥିଲେ । ୧୯୮୦ ମସିହା ଡିସେମ୍ବର ୩୧ରେ ତାଙ୍କର ପରଲୋକ ଘଟିଥିଲା । ବର୍ତ୍ତମାନ ସମ୍ବଲପୁରୀ ଭାଷା ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା ଓ ସୁବର୍ଣ୍ଣପୁର ସମେତ ନଅଟି ଜିଲ୍ଲାରେ ବ୍ୟାପକ ଭାବେ କୁହାଯାଏ। ଏହି ଭାଷା ଏବଂ ଏହାର ଲୋକସଂସ୍କୃତି ପଶ୍ଚିମ ଓଡ଼ିଶାର ପରିଚୟ ଭାବେ ଗଣାଯାଏ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସମ୍ବଲପୁରୀ ଭାଷା, ଲୋକକଳା, ସଙ୍ଗୀତ, ନୃତ୍ୟ, ହ୍ୟାଣ୍ଡଲୁମ୍ ଓ ପରମ୍ପରା ଓଡ଼ିଶାର ଗର୍ବ ଏବଂ ପରିଚୟ । ଏହି ଐତିହ୍ୟକୁ ସମସ୍ତେ ସୁରକ୍ଷିତ ରଖି ଆଗକୁ ନେବାକୁ ସେ ଆହ୍ୱାନ କରିଛନ୍ତି । ସେହିପରି ବିରୋଧୀ ଦଳନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗୁରୁ ସତ୍ୟନାରାୟଣ ବୋହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ବଲପୁରୀ ଦିବସର ଅଭିନନ୍ଦନ ଜଣାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments