ରାଜନଗର, (୨୧/୦୮) : ଆପ୍ର : ବାରହା ଆକ୍ରମଣରେ ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବନ୍ଧପାଟଣା ଗ୍ରାମର ଦୁଇ ଜଣ ଆହତ। ଆହତମାନେ ହେଲେ ଗ୍ରାମର ଇନୋଦ ସେଠୀ (୩୪) ଓ ତାଙ୍କ ମଝିଆ ଭାଇ ବିନୋଦ ସେଠୀ (୩୬)। ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ,ଇନୋଦ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ପାଖ ଦେଇ ଏକ ବାରହା ଯାଉଥିବା ଦେଖିଥିଲେ। ଭୟରେ ପାଟି କରି ସେ ଘର ଆଡ଼କୁ ଦୌଡ଼ିଥିଲେ। ତେବେ ଘର ନିକଟରେ ପହଞ୍ଚିବା ସମୟରେ ବାରହାଟି ତାଙ୍କ ବାମ ଗୋଡ଼କୁ କାମୁଡ଼ି ଦେଇଥିଲା।ଇନୋଦଙ୍କ ଚିତ୍କାର ଶୁଣି ତାଙ୍କ ମଝିଆ ଭାଇ ବିନୋଦ ଏକ ବାଡ଼ି ଧରି ବାରହାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାରହାଟି ଇନୋଦଙ୍କୁ ଛାଡ଼ି ବିନୋଦଙ୍କ ହାତକୁ କାମୁଡ଼ି ଦେଇଥିଲା। ଉଭୟଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବାରୁ ବାରହାଟି ସେଠାରୁ ଦୌଡ଼ି ପଳାଇଥିଲା। ଘଟଣା ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକରଙ୍କୁ ପଚାରିବାରୁ, ବାରହା ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ଖବର ପାଇ ବନ ବିଭାଗର କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିବା କହିଛନ୍ତି। ଆହତମାନଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି।ବାରହାଟି କେଉଁଠାରୁ ଆସିଛି ଏବଂ ବର୍ତ୍ତମାନ କେଉଁ ଅଞ୍ଚଳରେ ରହିଛି, ସେନେଇ ଅନୁଧ୍ୟାନ କରିବାକୁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

