କେନ୍ଦୁଝର, (୨୮/୦୮) : ଆପ୍ର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ପାଟଣା ତହସିଲର କନିଷ୍ଠ ରାଜସ୍ୱ ସହାୟକ ।
ଜମି ମ୍ୟୁଟେସନ୍ ଫାଇଲ୍ ଆଗକୁ ବଢ଼ାଇବା ଏବଂ ଜମି ପଟ୍ଟା ଯୋଗାଇ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ଉମାଶଙ୍କର ବିଶ୍ବାଳ । ସୂଚନା ଅନୁଯାୟୀ ଅଭିଯୋଗକାରୀ ନିଜର ଏବଂ ନିଜ ଅଂଶୀଦାରମାନଙ୍କ ନାମରେ ଜମିର ମ୍ୟୁଟେସନ୍ ପାଇଁ ଗତ ଜୁନ୍ ୩ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମାନୁସାରେ ଅନଲାଇନ ଆବେଦନ କରିଥିଲେ । ଆବେଦନର ସ୍ଥିତି ବୁଝିବା ପାଇଁ ଅଭିଯୋଗକାରୀ ତହସିଲ କାର୍ଯ୍ୟାଳୟକୁ ଯାଇଥିବା ବେଳେ, କନିଷ୍ଠ ରାଜସ୍ୱ ସହାୟକ ବି.ଏଚ୍ ଉମାଶଙ୍କର ମ୍ୟୁଟେସନ୍ ଫାଇଲ୍ ପ୍ରୋସେସ୍ କରିବା ଏବଂ ପଟ୍ଟା ପ୍ରଦାନ କରିବା ପାଇଁ ଛଅହଜାର ଟଙ୍କା ଦାବି କରିଥିଲେ । ତେବେ ଅଭିଯୋଗକାରୀ ଟଙ୍କା ଦେବାକୁ ଅନିଚ୍ଛୁକ ଥିବାରୁ ଏହି ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।
ପୂର୍ବ ଯୋଜନା ଅନୁଯାୟୀ ତହସିଲ କାର୍ଯ୍ୟାଳୟ ଗ୍ୟାରେଜ୍ରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଉମାଶଙ୍କରଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କ ନିକଟରୁ କେମିକାଲ୍ ବୋଳା ସମ୍ପୂର୍ଣ୍ଣ ଟଙ୍କା ଜବତ କରାଯାଇଛି । ଏହି ଗିରଫଦାରୀ ପରେ, ଅଭିଯୁକ୍ତ ଉମାଶଙ୍କରଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ତାଙ୍କ ସହ ଜଡ଼ିତ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

