ରାୟଗଡା, (୧୧/୭) : ଆପ୍ର : ସମ୍ମିଳନୀରେ ରାୟଗଡ଼ା ବିଧାୟକ କଦ୍ରକା ଆପ୍ପାଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସଶକ୍ତିକରଣ ଓ ସ୍ୱାବଲମ୍ବନ ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମତ ରଖିଥିଲେ ।
ଏହା ସହିତ ରାଜ୍ୟ ଦିବ୍ୟାଙ୍ଗ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ (ଅବସରପ୍ରାପ୍ତ IAS), ରାୟଗଡ଼ା ଓକିଲ ସଂଘର ସଭାପତି ବ୍ରଜ ସୁନ୍ଦର ନାୟକ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସମ୍ମିଳନୀରେ TPSODL, ହିଣ୍ଡାଲକୋ, OPGC, ଜେକେ ପେପର, ନାଲକୋ, ଟାଟା ଷ୍ଟିଲ୍ ଫାଉଣ୍ଡେସନ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର CSR ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍ ଏବଂ ବିଭିନ୍ନ ଭାଗୀଦାର ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ୨୫୦ରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ମିଳନୀକୁ ସମାବେଶୀ ବିକାଶ ପାଇଁ ଏକ ପ୍ରଭାବଶାଳୀ ମଞ୍ଚରେ ପରିଣତ କରିଥିଲା ।
ଆଲୋଚନାଚକ୍ରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଶିକ୍ଷା, କୌଶଳ ବିକାଶ, ରୋଜଗାର, ଉଦ୍ୟୋଗୀକରଣ ଓ ସ୍ଥାୟୀ ଜୀବିକାରେ ସମାନ ସୁଯୋଗ ସୃଷ୍ଟି ନିମନ୍ତେ ସରକାର, ଶିଳ୍ପ ସଂସ୍ଥା ଏବଂ ସାମାଜିକ ସଂଗଠନ ମଧ୍ୟରେ ସମନ୍ୱୟ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଏକ ସମାବେଶୀ, ସୁଗମ ଓ ସଶକ୍ତ ଦକ୍ଷିଣ ଓଡ଼ିଶା ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ ।
ଉଇ ଫୋର୍ ୟୁ ଚାରିଟେବୁଲ ଟ୍ରଷ୍ଟ ଗତ ୧୫ ବର୍ଷ ଧରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଶିକ୍ଷା, ପୁନର୍ବାସ, କୌଶଳ ବିକାଶ, ସହାୟକ ପ୍ରଯୁକ୍ତି, ଜୀବିକା ବିକାଶ, ସୁଗମତା ଓ ସେମାନଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରି ଏକ ସମାବେଶୀ ସମାଜ ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସଭାପତି ଶିଶିର କୁମାର ରାଉଳ, ସମ୍ପାଦକ ଅମରେନ୍ଦ୍ର ନାଥ, ବରିଷ୍ଠ ଆଇନଜୀବୀ ଉମାଶଙ୍କର ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ । ଅବସରରେ ଦିବ୍ୟାଙ୍ଗ କରାଟେ ଚାମ୍ପିଅନ ତଥା ଗ୍ରିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ରମେଶ କୁମାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନ୍ୟାନ୍ୟ ଦିବ୍ୟାଙ୍ଗ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା ।

