ପାଟଣା, (୨୨/୧୦) : ଆପ୍ର : ପାଟଣା ବ୍ଲକ ମୁଖ୍ୟାଳୟ ରେ ରାବଣ ପୋଡି ମହୋତ୍ସବ ଧୁମଧାମରେ ଗତ ବିଳମ୍ବିତ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ବିଜୟା ଦଶମୀ ଅବସରରେ ପାଟଣା ମୁଖ୍ୟାଳୟ ମିନି ଷ୍ଟାଡିୟମ ଠାରେ ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।କମିଟି ପକ୍ଷରୁ ରାବଣ ପୋଡି ସହ ଆତସ ବାଜି ପ୍ରଦର୍ଶନ ସହ ରଙ୍ଗାରଙ୍ଗ ମେଲୋଡି ଦେଖିବା ପାଇଁ ପାଖାପାଖି ୨୦ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଉପଭୋଗ କରିଥିଲେ ।ଆକର୍ଷଣୀୟ ଆତସବାଜି ସହିତ କଟକ ପ୍ରସିଦ୍ଧ ସୁର ସାରେଗାମାପା ମେଲୋଡି ଗ୍ରୁପର ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ପରିବେଷଣ କୁ ଲୋକେ ମନଭରି ଉପଭୋଗ କରିଥିଲେ।ରାବଣପୋଡି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆନନ୍ଦେଶ୍ୱର ମନ୍ଦିର ରୁ ଏକ ସୁସଜ୍ଜିତ ପଟୁଆରରେ ରାମ ଲକ୍ଷ୍ମଣ ଓ ହନୁମାନ ଙ୍କୁ ବଜାର ପରିକ୍ରମା କରି ରାବଣପୋଡି ମହୋତ୍ସବ ମଣ୍ଡପ ନିକଟକୁ ଅଣାଯାଇଥିଲା ।
ଆୟୋଜିତ ସଭାରେ ଶିକ୍ଷକ ପାର୍ଥ ସାରଥୀ ବେଜ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଘଟଗାଁ ଏସଡ଼ିପିଓ ପ୍ରଭାତ ଚନ୍ଦ୍ର ତ୍ରିପାଠୀ , ସମ୍ମାନୀତ ଅତିଥି ଭାବେ ପାଟଣା ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ, ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଯୋଗ ଦେଇ ଅସତ୍ୟ ଉପରେ ସତ୍ୟର ବିଜୟ ରାବଣ ପୋଡିର ଉଦ୍ୟେଶ୍ୟ ଓ ରାମକଥା ଉପରେ ନିଜନିଜର ବକ୍ତବ୍ୟ ରଖିଥିଲେ । କମିଟିର ସଭାପତି ଅୟସ କୁମାର ନାୟକ, ସମ୍ପାଦକ ପ୍ରକାଶ କୁମାର ସେଠୀ ଜ ସଦସ୍ୟ ସର୍ବଶ୍ରୀ ଦୁର୍ଲଭ ଦାସ , ବିକାଶ ସେଠୀ , ତାପସ ମିଶ୍ର , ଯୁଧିଷ୍ଟିର ମହାନ୍ତ , ମଧୁସୂଦନ ମହାନ୍ତ , ପ୍ରୀତମ ପଣ୍ଡା , ଓ ବ୍ରଜବନ୍ଧୁ ସେଠୀ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରାବଣ ପୋଡି ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରିବା ପାଇଁ ପାଟଣା ପୁଲିସ, ଆଞ୍ଚଳିକ ମହାବିଦ୍ୟାଳୟ ର ଏନସିସି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଦୈବ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପାଟଣା ଅଗ୍ନିଶମ ବାହିନୀ ଓ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ସଜାଗ ରହିଥିଲେ । ଏକ ସୁନ୍ଦର ବାତାବରଣ ମଧ୍ୟରେ ରାବଣ ପୋଡି ମହୋତ୍ସବ ସମାପନ ହୋଇଥିଲା । ମୁଖ୍ୟ ଅତିଥି ଘଟଗାଁ ଏସଡ଼ିପିଓ ଶ୍ରୀ ତ୍ରିପାଠୀ ରାବଣ ଦହନରେ ଅଗ୍ନି ସଂଯୋଗ କରିଥିଲେ ।

