କେନ୍ଦ୍ରାପଡ଼ା, (୨୨/୧୦) : ଆପ୍ର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଦୁର୍ଗାପୂଜା ଉତ୍ସାହ ଉଦ୍ଦିପନାର ସହ ଶେଷ ହୋଇଛି । ଆଜି ହଂସୁଆ ନଦୀରେ ଚାପ ଖେଳି ଧରାପୃଷ୍ଠରୁ ମେଲାଣି ନେବେ ମାଆ ।
ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମାଙ୍କୁ କାନ୍ଧରେ କାନ୍ଧେଇ ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇବେ । ଘଣ୍ଟ ଘଣ୍ଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମା’ଙ୍କୁ ମେଲାଣି ଦିଆଯିବ । ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିବା ପରେ ମା ଙ୍କୁ ଦିଆଯିବ ମେଲାଣି । ମା’ ଦୁର୍ଗାଙ୍କ ସହିତ ବନଦୁର୍ଗା, ମା’ଶାରଳା, ମା’ଗଙ୍ଗାମାତାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ସୁସଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯିବ । ସାରା ଓଡିଶାରେ ବିରଳ ଏହି ଜଳପଥରେ ଭଷାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମାଇଥାନ୍ତି ।
ନଦୀ ମଧ୍ୟରେ ଭଜନ କୀର୍ତ୍ତନ ପାରମ୍ପାରିକ ବାଦ୍ୟ ସହିତ ମା’ ଓ ଦେବାଦେବୀଙ୍କୁ ମେଲାଣି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଦୀର୍ଘ ୧ କିମି ବ୍ୟାପି ନଈ ମଧ୍ୟରେ ୭ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଯିବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ । ଦୀର୍ଘ ୨୦୦ ବର୍ଷରୁ ଉର୍ଦ୍ଧ ହେବ ରାଜ ରାଜୁଡା ଅମଳ ରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜିବି ରାଜନଗର ରେ ଉଜିବିତ ହୋଇ ରହିଛି ।

