ରାୟଗଡା, (୦୭/୦୮) : ଆପ୍ର : ରାୟଗଡା ସହରର ବହୁ ପୁରାତନ ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି ।
ସର୍ବସମ୍ମତି କ୍ରମେ ସରସ୍ୱତୀ ସାହୁଙ୍କୁ ଅନୁଷ୍ଠାନର ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି । ଏହାପୂର୍ବରୁ ସେ ଅନୁଷ୍ଠାନର ସମ୍ପାଦିକା ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ ।ଉପସଭାନେତ୍ରୀ ଅମୂଲ୍ୟ କୁମାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା । ଏଥିରେ ଅମୂଲ୍ୟ କୁମାରୀ ମିଶ୍ରଙ୍କୁ ଉପସଭାନେତ୍ରୀ, ସନ୍ତୋଷୀ ସେନାପତିଙ୍କୁ ସମ୍ପାଦିକା, ସୁଜାତା ଖାଡ଼ଙ୍ଗାଙ୍କୁ ସହ-ସମ୍ପାଦିକା ଏବଂ ଲକ୍ଷ୍ମୀ ଦେଓଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି ।
ସେହିପରି ଅନୁଷ୍ଠାନର ପୂର୍ବତନ ସଭାନେତ୍ରୀ ସୁଜାତା ପାଳ, ପୂର୍ବତନ କୋଷାଧ୍ୟକ୍ଷ ଶ୍ରମିତା ପାଢ଼ୀ ଏବଂ ପଦ୍ମାଳୟା ମିଶ୍ରଙ୍କୁ ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ବୈଠକରେ ଆଗାମୀ ଦିନରେ ‘ସଂସ୍କୃତି’ ଅନୁଷ୍ଠାନକୁ ଆହୁରି ସଶକ୍ତ ଓ ସୁସଂଗଠିତ କରିବା ସହ ସମାଜମଙ୍ଗଳମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଆଲୋଚନା ହୋଇଥିଲା । ଅନୁଷ୍ଠାନକୁ ଏକ ଶୃଙ୍ଖଳିତ ଓ ଆଦର୍ଶ ସାମାଜିକ ସଂଗଠନ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ସଦସ୍ୟା ସଂକଳ୍ପବଦ୍ଧ ଥିବା ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦଶନ୍ଧି ଧରି ଉପାନ୍ତ ଅଞ୍ଚଳରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଓ ପ୍ରସାର କ୍ଷେତ୍ରରେ ‘ସଂସ୍କୃତି’ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ।

