ଯୋଡ଼ା, (୦୮/୦୯) : ଆପ୍ର : ଚମ୍ପୁଆରେ ୨୫ ଟିକିଆ ହାତୀପଲଙ୍କ ଆତଙ୍କ । ଘର ଓ ମନ୍ଦିର ପାଚେରୀ ଭାଙ୍ଗିଲେ । ଚମ୍ପୁଆ ରେଞ୍ଜ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ହାତୀପଲଙ୍କ ଉପଦ୍ରବ ।
୨୫ ଟିକିଆ ହାତୀପଲ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗତକାଲି ରାତିରେ ଏହି ହାତୀପଲ ରଜିଆ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ମୁହାଁଇଥିଲେ । ପ୍ରଥମେ କୃଷ୍ଣପୁର ଗାଁ’ରେ ପଶି ବର୍ଷା ମୁଣ୍ଡାଙ୍କ ଘର ଭାଙ୍ଗି ଭିତରେ ସାଇତା ହୋଇ ରହିଥିବା ଧାନ ଓ ଚାଉଳ ଖାଇଯାଇଥିଲେ । ହାତୀପଲ ସେଠାରୁ ଆଗକୁ ବଢ଼ି ବାଟରେ ଥିବା କାଳିକାପ୍ରସାଦ ତାରିଣୀ ମନ୍ଦିରର ପାଚେରୀକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ।
ଆଜି ସକାଳୁ ଏହି ହାତୀପଲ ବସିରା ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି । ଘଟଣା ପରେ କୃଷ୍ଣପୁର, କାଳିକାପ୍ରସାଦ ଏବଂ ବସିରା ଗାଁର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନ ବିଭାଗ ତୁରନ୍ତ ହାତୀପଲଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନେବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

