Homelocalବାଲ୍ୟ ବିବାହ ନିରାକରଣ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାଲ୍ୟ ବିବାହ ନିରାକରଣ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୦୭/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 11 08 at 10.54.33

ସ୍ୱାଗତ ଅଭିଭାଷଣରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର ବାଲ୍ୟ ବିବାହ ହ୍ରାସ ଦିଗରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ପ୍ରତ୍ୟେକ ଅଂଶୀଦାରଙ୍କ ସମାନ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନୀଳିମା ଲଳିତା ବାର୍ଲା ବାଲ୍ୟ ବିବାହ ନିଷେଧ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଅଧିକାରୀମାନଙ୍କର ଆଇନ ସମ୍ପର୍କିତ ସଠିକ୍ ଜ୍ଞାନ ରହିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲାରୁ ବାଲ୍ୟ ବିବାହ ଦୂର କରିବା ପାଇଁ ଆଇନର ସମସ୍ତ ବ୍ୟବସ୍ଥାର ଉପଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁସୁରକ୍ଷା ଏବଂ କାର୍ଯ୍ୟକ୍ରମ ଅଧିକାରୀ ଅଞ୍ଜନା କିସାନ ସଂଯୋଜନା କରିଥିଲେ ।

ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଉଷାରାଣୀ ଦାସ ବାଲ୍ୟ ବିବାହ ଯୋଗୁଁ ନାବାଳିକାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଥିବା ଗୁରୁତର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ବାଲ୍ୟ ବୟସରେ ଗର୍ଭଧାରଣ ଯୋଗୁଁ ମାତୃମୃତ୍ୟୁ ଭଳି ଘଟଣା ଘଟୁଥିବା ସେ ଉଲ୍ଲେଖ କରିଥିଲେ । ଏଭଳି ଘଟଣାର ଚିହ୍ନଟ ଓ ନିରୀକ୍ଷଣ ପାଇଁ ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାକୁ ଜନନୀ ପୋର୍ଟାଲରେ ମାମଲା ପଞ୍ଜୀକରଣ କରିବାକୁ କୁହାଯାଇଛି । ଏଥିସହ ଜିଲ୍ଲାରେ ଗର୍ଭପାତ କିଟ୍‌ର ବ୍ୟବହାର ଉପରେ କଟକଣା ଜାରି କରାଯାଇଥିବା ସେ କହିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ କହିଥିଲେ ଯେ, ଏହି ଜିଲ୍ଲାରେ ପ୍ରାୟ ୨୨ ପ୍ରତିଶତ ବିବାହ ବାଲ୍ୟ ବିବାହ ହୋଇଥିବା ଆକଳନ କରାଯାଇଛି । ଏହି ହାରକୁ ହ୍ରାସ କରିବା ଆମର ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ । ସମସ୍ତ ସିଡିପିଓ, ହଷ୍ଟେଲ ସୁପେରୀଣ୍ଟେଣ୍ଡେଣ୍ଟ ଏବଂ ପ୍ରଧାନଶିକ୍ଷକଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଝିଅମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିବାରୁ ସେମାନେ ଆଇନଗତ ବ୍ୟବସ୍ଥା ସହିତ ବାଳିକାମାନଙ୍କ ପାଇଁ ଉପଲବ୍ଧ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ସଚେତନ ରହିବା ଆବଶ୍ୟକ । ଏଥିପାଇଁ ସମସ୍ତଙ୍କୁ ପ୍ରଶିକ୍ଷଣ ଦେବା ଜରୁରୀ ବୋଲି ସେ କହିଥିଲେ । ବାଲ୍ୟ ବିବାହରୁ ଉଦ୍ଧାର ହୋଇଥିବା ଝିଅମାନଙ୍କୁ ଜୀବନକୁ ଉନ୍ନତ କରିବାର ସୁଯୋଗ ଦିଆଯାଉଥିବା ସେ ସୂଚନା ଦେଇଥିଲେ ।

ଅଭିଭାଷଣରେ ଜିଲ୍ଲାପାଳ ଶ୍ରୀ ସିଂହ ବାଲ୍ୟ ବିବାହର ମୂଳ କାରଣଗୁଡ଼ିକୁ ବିଶ୍ଳେଷଣ କରି ସେହି ଅନୁଯାୟୀ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ କହିଥିଲେ । ଏହା ମୁଖ୍ୟତଃ ମାନସିକତା ଓ ମନୋବୃତ୍ତି ସହ ଜଡ଼ିତ ଏକ ସାମାଜିକ ସମସ୍ୟା । ତେଣୁ ଆଇନର କାର୍ଯ୍ୟକାରିତା ଶେଷ ପଦକ୍ଷେପ ହେବା ପୂର୍ବରୁ ଏହାର ନିରାକରଣ ଓ ସଚେତନତାକୁ ପ୍ରାଥମିକତା ଦେବା ଆବଶ୍ୟକ । ସମସ୍ତ ଅଧିକାରୀ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସମ୍ୟକ ଜ୍ଞାନ ରଖିବା ସହ ଜିଲ୍ଲାସ୍ତରରେ ଏକ ସୁସଂଗଠିତ ରଣନୀତି ପ୍ରସ୍ତୁତ କରି ବାଲ୍ୟ ବିବାହ ହାର ହ୍ରାସ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସ, ରାଜ୍ୟ ସଂଯୋଜିକା ତଥା ସମ୍ବଳ ବ୍ୟକ୍ତିତ୍ବ ସାସ୍ୱତୀ ପଟ୍ଟନାୟକ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟା ରଞ୍ଜିତା ସାହୁ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ସିଡିପିଓ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments