ସୁବର୍ଣ୍ଣପୁର, (୨୧/୧୧):ଆପ୍ର: ସୁଵର୍ଣପୁର ଜିଲ୍ଲାର ୧୦୭ ଗ୍ରାମ ପଞ୍ଚାୟତର ଅଧିନସ୍ଥ ୯୬୩ ଗ୍ରାମରୁ ୮୩୩ ରାଜସ୍ୱ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଜିଲ୍ଲା ପ୍ରଶାସନ ଦ୍ବାରା ଘୋଷଣା କରାଯାଇଛି ।
ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ସୁଵର୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯକ୍ରମରେ ୮୩୩ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରି ଜିଲ୍ଲାପାଳ ଦେବାଶିଷ ସିଂହ କହିଲେ ଯେ ରୁଚିକା ଭଳି ସାମାଜିକ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ସମସ୍ତ କର୍ମୀ ଅକ୍ଲାନ୍ତ ପରିଶ୍ରମ କରି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ନିତି ନିର୍ଦ୍ଦେଶ ଅନୁଯାୟୀ ଏହି ଗ୍ରାମଗୁଡ଼ିକରେ ୬ ରୁ ୧୪ ବର୍ଷର ସମସ୍ତ ଶିଶୁ ସ୍କୁଲକୁ ଯାଉଛନ୍ତି, ୧୧ ରୁ ୧୯ ବର୍ଷର ସମସ୍ତ କିଶୋର କିଶୋରୀ ଅଙ୍ଗନୱାଡି ର ଅଦ୍ଵିକା କାର୍ଯକ୍ରମରେ ପଞ୍ଜୀକୃତ ହୋଇଥିବା ବେଳେ ଗତ ତା ୦୧.୦୧.୨୦୨୫ ରିଖ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ବାଲ୍ୟ ବିବାହ ହୋଇନାହିଁ । ତେଣୁ ଭାରତ ସରକାରଙ୍କ ନିର୍ଦ୍ଦେଶ ନାମା ଅନୁସାରେ ଗତ ଅକ୍ଟୋବର ୦୨ ତାରିଖରେ ଅନୁଷ୍ଠିତ ଗ୍ରାମ ସଭା ଗୁଡିକରେ ବିଧିବଦ୍ଧ ଭାବେ ରିଜୋଲୁସନ୍ କରାଯାଇ ଏହି ଘୋଷଣା କରାଯାଇଛି ।
ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ କହିଲେ ବିଶ୍ୱକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ହେଲେ ସମାଜର ସମସ୍ତ ବ୍ୟକ୍ତି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରଙ୍କର ଭାଗିଦାରିତା ଆବଶ୍ୟକ। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ଶ୍ରମ ବିଭାଗ ର ଵିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ସହ ବାଲ୍ୟ ବିବାହ ଭଳି ସାମାଜିକ ଅପରାଧ ରୁ ନିବୃତ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ବୀଣାପାଣି ମିଶ୍ର ଯୋଗଦେଇ କହିଥିଲେ ରୁଢ଼ିବାଦୀ ସମାଜ ରେ କନ୍ୟା ରତ୍ନମାନଙ୍କୁ ଏକ ଶୃଙ୍ଖଳା ମଧ୍ୟରେ ବନ୍ଦୀ କରି ସେମାନଙ୍କ ଶିକ୍ଷା ଓ ଅଧିକାରକୁ ସେମାନଙ୍କଠାରୁ ଏହା ଦ୍ବାରା ବଳ ପୂର୍ବକ ଛଡ଼ାଇ ନିଆଯାଉଛି। ତେଣୁ କେବଳ ଜନ ସଚେତନତା ନୁହେଁ ଆଇନ ଗତ କଠୋର କାର୍ଯ୍ୟାନୁଷ୍ଠାନ ଓ ପ୍ରଗତିଶୀଳ ନାରୀ ଶିକ୍ଷା ଏହାକୁ ରୋକିପାରିବ।
ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୬ ଅନୁସାରେ ଓଡ଼ିଶାରେ ୧୮.୬% ବାଲ୍ୟ ବିବାହ ହେଉଛି । ସୁଵର୍ଣପୁର ଜିଲ୍ଲାରେ ପ୍ରାୟ ଶତକଡା ୧୬.୯ %ରୁ ଖସି ୧୨.୩% ରୁ ଅଧିକ ପିଲା ବାଲ୍ୟ ବିବାହ କରୁଛନ୍ତି। ଏହି ସମସ୍ୟାକୁ ଜିଲ୍ଳା ପ୍ରଶାସନ ସହ ମିଶି ଆମେ ୨୦୩୦ ମସିହା ସୁଧା ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ସହାୟତା ରେ ଶୁନ୍ୟ କରିପାରିବୁ ବୋଲି ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ବେଣୁଧର ସେନାପତି ଦୃଢକ୍ତି ପ୍ରକାଶ କରିଛନ୍ତି। ବାଲ୍ୟ ବିବାହ ଭଳି ଏକ ସାମାଜିକ ଅପରାଧକୁ କୌଣସି ପ୍ରକାରେ ବାରଦସ୍ତ କରାଯାଇପାରିବ ନାହିଁ ବୋଲି ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକାରୀ ଲିଲିମା ଲଳିତା ବରାଳ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧୀକ୍ଷକ ରେଣୁକା ସୁନା, ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଷି ମାଝୀ , ସଦର ବିଡିଓ ପ୍ରତୀକ କର, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ତରଭା ପଂଚାୟତ ସମିତିର ଅଧ୍ୟକ୍ଷ ସରୋଜ କୁମାର କାମ୍ପା, ଶିଶୁ ମଙ୍ଗଳ କମିଟି ଅଧକ୍ଷା ଲିନା ବାବୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜିଲ୍ଲାରେ ବାଲ୍ୟ ବିବାହ କୁ ସମ୍ପୃଣ୍ଣ ନିଷେଧ କରିବା ପାଇଁ ଆହ୍ଵାନ ଦେଇଥିଲେ । ଅତିଥି ମାନଙ୍କୁ ସ୍ୱାଗତ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଓ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯକ୍ରମ ଅଧିକାରୀ ଅଞ୍ଜନା କିସନ ।
ଜିଲ୍ଲାପାଳ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଅଧିକାରିଣୀ, ସରପଞ୍ଚ, ବ୍ଲକ ଉନ୍ନୟନ ଅଧିକାରୀ, ୱାର୍ଡ ମେମ୍ବର । ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ରୁଚିକା ସଂଗଠନର ଜିଲ୍ଲା ସଂଯୋଜିକା ତଟିନୀ ବିଶ୍ୱାଳ, ରିଙ୍କିନା ସ୍ବାଇଁ, ହରପ୍ରିୟା ପତି, ଅଜୟ ମହାରଣା, ବି ଏନ ରେଡି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସେ,ମୃତ୍ୟୁଞ୍ଜୟ ସାହୁ,ସରିତା ସୁନା,ମାନିନୀ ମହାନ୍ତି, ଜିତେନ୍ଦ୍ର ମଣ୍ଡଳ ରୁଦ୍ର ପ୍ରସନ୍ନ ମିଶ୍ର ସ୍ୱାଗତ ରାଜ ମିଶ୍ର, ସହଯୋଗ କରିଥିଲେ, ଏହି ଅବସରରେ ୧୦୦ ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରା ଯାଇଥିଲା

