Homelocalସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ : ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍...

ସଡ଼କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ କଡ଼ା ଆଭିମୁଖ୍ୟ : ୨୩ରୁ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ସୁବର୍ଣ୍ଣପୁର, (୨୧/୧୧):ଆପ୍ର: ସଡ଼କ ଦୁର୍ଘଟଣା ରୋକିବା ସହ ଅମୂଲ୍ୟ ଜୀବନର ସୁରକ୍ଷା ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ପାଳନ କରିବା ସହ ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା ଆବଶ୍ୟକ ।WhatsApp Image 2026 11 21 at 22.29.51

ଏହି ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଛି ସଡ଼କ ସୁରକ୍ଷା ଦିଗରେ ଉଦାହରଣ ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୩ ନଭେମ୍ବର ୨୦୨୬ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଦୁଇଚକିଆ ଯାନରେ ଅଫିସକୁ ଆସିବା ଓ ଯିବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ। ଏହି ନିୟମ ଉଲ୍ଲଙ୍ଘନ କଲେ ପ୍ରତ୍ୟେକଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । କାର୍ଯ୍ୟାଳୟ ପରିସର ବାହାରେ ଯାଞ୍ଚ କରି ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବା ଏବଂ ଜରିମାନା ଆଦାୟ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ସୁରକ୍ଷା ସହ ପରିବାରର ଖୁସି ପାଇଁ ପ୍ରତ୍ୟେକ କର୍ମଚାରୀ ଏହି ନିୟମକୁ ନିଷ୍ଠାର ସହ ପାଳନ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ଜିଲ୍ଲାର ସଡ଼କ ଦୁର୍ଘଟଣା ସ୍ଥିତିର ସମୀକ୍ଷା କରାଯାଇଥିଲା । ୨୦୨୬ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଜିଲ୍ଲାରେ ୧୩୩ଟି ଫାଟାଲ ଦୁର୍ଘଟଣା ଘଟି ୭୫ ଜଣଙ୍କ ଜୀବନ ଯାଇଛି । ୨୦୨୫ର ସମାନ ଅବଧିରେ ୧୨୮ଟି ଫାଟାଲ ଦୁର୍ଘଟଣାରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ତଥ୍ୟ ଅନୁଯାୟୀ ଦୁର୍ଘଟଣା ପ୍ରାୟ ୩ ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା ୧ ପ୍ରତିଶତ ବୃଦ୍ଧି ପାଇଛି। ବେପରୁଆ ଓ ଅବହେଳିତ ଭାବେ ଗାଡ଼ି ଚଳାଇବା ଯୋଗୁଁ ୪୯ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିରୁ ୨୮ଟି ଫାଟାଲ ଥିଲା । ସେହିପରି ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ଯୋଗୁଁ ୧୦ଟି ଦୁର୍ଘଟଣା ଘଟିଥିବା ବେଳେ ୭ଟି ଫାଟାଲ ଥିଲା ।

ସେହିପରି ଯାନ ଯଦି ଦେଖାଯିବ, ତାହେଲେ ଅଧିକାଂଶ ଦୁର୍ଘଟଣା ମୋଟରସାଇକେଲ ଯାନ ରେ ହୋଇଛି । ମୋଟରସାଇକେଲ ଜଡ଼ିତ ୨୪ଟି ଦୁର୍ଘଟଣା ମଧ୍ୟରୁ ୨୧ଟି ଫାଟାଲ ହୋଇଥିବା ତଥ୍ୟ ହେଲମେଟ୍ ପିନ୍ଧିବାର ଗୁରୁତ୍ୱକୁ ସ୍ପଷ୍ଟ କରୁଛି। ବିଶେଷକରି ଅପରାହ୍ନ ୫ଟାରୁ ରାତି ୮ଟା ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଥିବାରୁ ଏହି ସମୟରେ ଚାଳକମାନେ ଅଧିକ ସତର୍କ ରହିବା ଆବଶ୍ୟକ।

ଦୁର୍ଘଟଣା ରୋକିବା ପାଇଁ ଯାଞ୍ଚ ଓ ଆଇନ ପ୍ରବର୍ତ୍ତନକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ମାସରେ ପୁଲିସ ପକ୍ଷରୁ ୨,୮୨୪ ଜଣ ଚାଳକଙ୍କ ମଦ୍ୟପାନ ଯାଞ୍ଚ କରାଯାଇଥିବା ବେଳେ ୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲମେଟ୍ ଯାଞ୍ଚ କ୍ଷେତ୍ରରେ ମାସିକ ୫୦୦ଟି ମାମଲାର ଲକ୍ଷ୍ୟ ରହିଥିବା ବେଳେ ମାତ୍ର ୪୬ଟି ମାମଲା ଚିହ୍ନଟ ହୋଇଛି ଏବଂ ୪୬,୦୦୦ ଟଙ୍କା ଜରିମାନା ବକେୟା ରହିଛି । ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ୭୦୭ଟି ଡ୍ରାଇଭିଂ ଲାଇସେନ୍ସ ସାମୟିକ ଭାବେ ବାତିଲ କରାଯାଇଛି ।

ଅକ୍ଟୋବରରେ ଜାରି ହୋଇଥିବା ୧,୨୬୯ଟି ଚାଲାଣ ମଧ୍ୟରୁ ୨୨୭ଟିର ନିଷ୍ପତ୍ତି ହୋଇଥିବା ବେଳେ ୧,୦୪୨ଟି ବକେୟା ରହିଛି । ଏହି ସମୟରେ ୧୧ ଲକ୍ଷ ୬୯ ହଜାର ,୬ ଶହ ୫୯ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୭୧ଲକ୍ଷ ,୮୩ ହଜାର , ୮ ଶହ ୫୯ ଟଙ୍କା ଆଦାୟ ହେବାକୁ ବାକି ରହିଛି । ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ନ ପିନ୍ଧିବା ଓ ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ବିରୋଧରେ ନିୟମିତ ଯାଞ୍ଚ କରିବା ସହ ବକେୟା ଜରିମାନା ଆଦାୟ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହାସହ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁସଂଗଠିତ କରିବା ପାଇଁ ନୂତନ ଟ୍ରକ୍ ଟର୍ମିନାଲ୍ ନିମନ୍ତେ ସ୍ଥାନ ଚିହ୍ନଟ, ଫୁଟପାଥ ଦଖଲମୁକ୍ତ କରି ଦୋକାନୀମାନଙ୍କୁ ନିର୍ଦ୍ଦିଷ୍ଟ ଭେଣ୍ଡିଂ ଜୋନ୍‌କୁ ସ୍ଥାନାନ୍ତର ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜିଲ୍ଲାପାଳ କହିଛନ୍ତି ଯେ, ସଡ଼କ ସୁରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ । ସରକାରୀ କର୍ମଚାରୀମାନେ ନିଜେ ଟ୍ରାଫିକ୍ ନିୟମ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହ ଜନସାଧାରଣଙ୍କୁ ହେଲମେଟ୍ ପିନ୍ଧିବା, ନିର୍ଦ୍ଧାରିତ ବେଗରେ ଗାଡ଼ି ଚଳାଇବା ଏବଂ ମଦ୍ୟପାନ କରି ଗାଡ଼ି ନ ଚଳାଇବା ପାଇଁ ପ୍ରେରିତ କରିବା ଉଚିତ। ଟିକିଏ ଅସାବଧାନତା ଏକ ଜୀବନକୁ ବିପଦରେ ପକାଇପାରେ । ତେଣୁ ନିଜ ଜୀବନ ଓ ଅନ୍ୟମାନଙ୍କ ଜୀବନର ସୁରକ୍ଷା ପାଇଁ ସମସ୍ତେ ସଡ଼କ ସୁରକ୍ଷା ନିୟମକୁ ନିଷ୍ଠାର ସହ ପାଳନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ସଲଖୁ ମୁର୍ମୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାସ, ପୁଲିସ ଅଧିକାରୀ, ସୋନପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ ପାଣ୍ଡିଆ, ଗଣମାଧ୍ୟମ ପ୍ରତିନିଧି ଏବଂ ଟ୍ରକ୍ ଓ ବେସରକାରୀ ବସ୍ ମାଲିକ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments