ସୁବର୍ଣ୍ଣପୁର, (୦୫/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ର ସଦର(ସୋନପୁର) ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ନୂତନ ଭାବେ ଆଜି ଯୋଗ ଦେଇଥିବା ଜିଲ୍ଲାପାଳ ଦେବାଶିଷ ସିଂହ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୫୯ଟି ଅଭିଯୋଗ ର ଦରଖାସ୍ତ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ୪୮ଟି ବ୍ୟକ୍ତିଗତ ଏବଂ ୧୧ଟି ସାମୂହିକ ଦରଖାସ୍ତ ଥିଲା । ଏଥିମଧ୍ୟରୁ ୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ସମ୍ବନ୍ଧୀୟ ଥିଲା । ଅବଶିଷ୍ଟ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି ।
ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ସୋନପୁର ବିଡିଓ ପ୍ରତୀକ କର, ସହାୟକ ଜିଲ୍ଲାପାଳ ଅଭିଯୋଗ ଶାଖା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ତାଙ୍କର ବ୍ଲକ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।

