ପିପିଲି, (୦୮/୦୯) : ଆପ୍ର : ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ବ୍ରିଜରେ ପୁଣି ଅଘଟଣ । ଅଟୋ ରଖି କୁଆଖାଇ ନଦୀକୁ ଡେଇଁପଡ଼ିଲେ ଚାଳକ । ବୋଟ୍ ଯୋଗେ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ୍ ଜାରି ।
ଗତ ୫ ତାରିଖରେ ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ବାରିକ ସାହିର ଯୁବକ ଭବାନୀ ଶଙ୍କରଙ୍କ ମୃତ୍ୟୁ ଘଟଣାର ଦାଗ ନଲିଭୁଣୁ ଗତକାଲି ସମାନ ସ୍ଥାନରେ ଆଉ ଜଣେ ଅଟୋ ଚାଳକ ପାଣିକୁ ଡେଇଁ ନିଖୋଜ ହୋଇଛନ୍ତି । ଖବର ପାଇ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କ କୌଣସି ପତ୍ତା ମିଳିନାହିଁ । ନିଖୋଜ ଅଟୋ ଚାଳକ ହେଲେ ଲିଙ୍ଗରାଜ ଥାନା ହରଚଣ୍ଡୀ ସାହିର ସଞ୍ଜୟ ସ୍ୱାଇଁ । ସେ ପୂର୍ବରୁ ପ୍ରାଣ ହରାଇଥିବା ମୃତ ଭବାନୀଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ସଞ୍ଜୟ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଟଙ୍କପାଣି ବ୍ରିଜ୍ ଉପରେ ଅଟୋ ଛିଡ଼ା ହୋଇଥିବା ବେଳେ ତା’ ନିକଟରେ ଚପଲ ପଡ଼ିରହିଥିବା ଦେଖିବାକୁ ମିଳିଛି । ବାଲିଅନ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଛି । ଯାଞ୍ଚରୁ ଗାଡ଼ିଟି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଛି। ଯୁବକ ଜଣକ ପ୍ରକୃତରେ ନଦୀକୁ ଡେଇଁଛନ୍ତି କିମ୍ବା ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି, ସେହି ଦିଗକୁ ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି । ନଦୀରେ ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ବ୍ୟାପକ ଖୋଜାଖୋଜି ଜାରି ରଖିଛି ।

