ମୟୂରଭଞ୍ଜ, (୦୮/୦୯) : ଆପ୍ର : ଲାଞ୍ଚ ନେଇ ଜେଲ୍ ଯାଇଥିଲେ, ଏବେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ । ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ।
ଲାଞ୍ଚ ନେଇ ପୂର୍ବରୁ ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ପୁଣି ଗିରଫ କରିଛି ବାରିପଦା ଭିଜିଲାନ୍ସ ୟୁନିଟ୍ । ତାଙ୍କ ନିକଟରୁ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କ ନିକଟରେ ତାଙ୍କ ଆୟ ତୁଳନାରେ ପ୍ରାୟ ୧୨୩ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଆଧାରରେ ଭିଜିଲାନ୍ସ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଗତ ଜାନୁୟାରୀ ୬ ତାରିଖରେ ଜଣେ ଠିକାଦାରଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ । ଠିକାଦାରଙ୍କ ଦ୍ୱାରା ଶେଷ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବାବଦକୁ ବକେୟା ଥିବା ପ୍ରାୟ ୫ ଲକ୍ଷ ଟଙ୍କାର ବିଲ୍ ଏବଂ ସିକ୍ୟୁରିଟି ଡିପୋଜିଟ୍ ଛାଡ଼ିବା ପାଇଁ ଲାଞ୍ଚ ମାଗିଥିଲେ । ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ । ସେହି ଲାଞ୍ଚ ମାମଲା ପରେ ଭିଜିଲାନ୍ସ ପକ୍ଷରୁ ସୁବ୍ରତଙ୍କ ସମ୍ପତ୍ତି ଉପରେ ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ଖୋଳତାଡ଼ ବେଳେ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତିର ଖୁଲାସା ହେବା ପରେ ଭିଜିଲାନ୍ସ ତାଙ୍କୁ ପୁନର୍ବାର ଗିରଫ କରି ଜେଲ୍ ପଠାଇଛି ।

